ଫକୀର ମୋହନ କଲେଜ ଛାତ୍ରୀ ନିର୍ଯାତନା ମାମଲା ପରେ ଆକ୍ସନ ମୋଡ଼ରେ ସରକାର। ମାମଲାରେ ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ସହକାରୀ ଅଧ୍ୟାପକ ଗୋପୀକାନ୍ତ ସୁନା ଗିରଫ ହୋଇଛନ୍ତି । ବିଶ୍ବବିଦ୍ୟାଳୟର ଜଣେ ବିଏଡ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ୩୨ ବର୍ଷୀୟ ଅଧ୍ୟାପକଙ୍କୁ ଗିରଫ କରାଯାଇଛି । ସେ ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ଏକ ଭଡ଼ା ଘରେ ରୁହନ୍ତି । ଅଧ୍ୟାପକଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।
ତେବେ ନିକଟରେ ଜୀବନ ଯୁଦ୍ଧରେ ହାରିଯାଇଛନ୍ତି ଏଫ୍ଏମ କଲେଜ ଛାତ୍ରୀ । ଜୀବନ ମରଣ ସହ ସଂଘର୍ଷ ପରେ ଆଖି ବୁଜିଛନ୍ତି ପିଡ଼ିତା । ନିର୍ଯାତନାର ଶିକାର ହେବା ପରେ ଶନିବାର ଦେହରେ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ସଙ୍କଟପୂର୍ଣ୍ଣ ଅବସ୍ଥାରେ AIIMS ଭୁବନେଶ୍ୱରରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ ଶରୀରର ୯୦ରୁ ୯୫ ପ୍ରତିଶତ ଅଂଶ ପୋଡିଯାଇଥିଲା । ୯୮ ପ୍ରତିଶତ ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । ଏମ୍ସର ୧୦ଜଣିଆ ଡାକ୍ତରୀ ଦଳ ଚିକିତ୍ସା କରିଥିଲେ ବି ଛାତ୍ରୀଙ୍କ ଜୀବନ ବଞ୍ଚି ପାରିନଥିଲା । ତେବେ ଛାତ୍ରୀଙ୍କ ମୃତ୍ୟୁରେ ଅଧ୍ୟାପକ ସମୀର୍ ସାହୁଙ୍କୁ ଗିରଫ କରାଯାଇଛି । କେବଳ ପୀଡ଼ିତା ନୁହଁନ୍ତି ଏହା ପୂର୍ବରୁ ସମୀର୍ ସାର୍ ଗୁରୁଙ୍କ ନାଁରେ କଳଙ୍କର ଛିଟା ପକାଇଥିଲେ । ଅଧ୍ୟାପନା ନାଁରେ ବ୍ଲାକମେଲ୍ କରି ଛାତ୍ରୀଙ୍କ ସହ ଏହି ରସିକିଆ ସାର୍ ରଖୁଥିଲେ ଅନୈତିକ ସମ୍ପର୍କ । ଏଫଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ପଛର ମୁଖ୍ୟ ଖଳନାୟକ ସମୀର ସାହୁଙ୍କର ଟ୍ରାକ ରେକର୍ଡ କିଛି ଏମିତି ଥିଲା । ଯୁଆଡ଼େ ଯାଉଥିଲେ ସବୁଠି ନାଁ ପକାଉଥିଲେ ।
ଭୁବନରୁ ଚମ୍ପୁଆ । ଚାକିରିରେ ବଦଳି ସହ ସ୍ଥାନ ବଦଳିଥିଲା, କିନ୍ତୁ ବଦଳିନଥିଲା ସମୀର୍ ସାରଙ୍କ ଚରିତ୍ର । ଚମ୍ପୁଆ ଚନ୍ଦ୍ରଶେଖର କଲେଜରେ ମାତ୍ର ୧୬ ମାସର ଚାକିରି କାଳରେ ବେଶ୍ ବିବାଦୀୟ ହୋଇଥିଲେ ସମୀର ସାହୁ । ପଢ଼ାଇବା ବାହାନାରେ ଛାତ୍ରୀଙ୍କ ମେସ୍ ଓ ହଷ୍ଟେଲରେ କଟୁଥିଲା ସାରଙ୍କ ସମୟ । ଏପରିକି କଲେଜ ଛାତ୍ରୀଙ୍କ ସହ ଅନୈତିକ ସମ୍ପର୍କ ରଖି ଧରା ବି ପଡ଼ିଥିଲେ । ବାରମ୍ବାର ଅଭିଯୋଗ ପରେ ବାଲେଶ୍ୱର ଏଫଏମ୍ କଲେଜକୁ ବଦଳି ହୋଇଥିଲେ । କିନ୍ତୁ ମଣିଷ ପ୍ରକୃତି ପରା । ସହଜରେ ଯିବ କେମିତି ? ବାଲେଶ୍ୱରରେ ମଧ୍ୟ ସମୀରଙ୍କ ବିକୃତ ମାନସିକତା ଜଣେ ଛାତ୍ରୀଙ୍କ ଜୀବନ ନେଇଯାଇଛି । ଅଭିଯୁକ୍ତ ଅଧ୍ୟାପକଙ୍କ କେଳେଙ୍କାରୀର ଲମ୍ବା ଫର୍ଦ୍ଦ ରହିଛି । ତେବେ ନିଜ ରାଜନୈତିକ ଲିଙ୍କ୍ ପାଇଁ ସବୁଠୁ ଖସି ଯାଇଥିଲେ ସମୀର । ହେଲେ ବାଲେଶ୍ୱରରେ ଛାତ୍ରୀଙ୍କ ଜୀବନ ଯିବା ପରେ କଠୋର ହୋଇଛନ୍ତି ସରକାର । ନେଇଛନ୍ତି କଡ଼ା କାର୍ଯ୍ୟାନୁଷ୍ଠାନ । ସମୀରଙ୍କ ପରେ ପରେ ଏବେ ଗୋପୀକାନ୍ତ ସୁନାଙ୍କୁ ଗିରଫ କରିଛି ପୁଲିସ ।