Odia News Portal

ଆଖିବୁଜିଲା ‘ମୌସୁମୀ’ର ଧଳାବାଘ ଛୁଆ

ପାଖାପାଖି ଅଢ଼େଇ ମାସର ଚିକିତ୍ସା ସତ୍ତ୍ବେ ନନ୍ଦନକାନନ ପ୍ରାଣୀ ଚିକିତ୍ସାକେନ୍ଦ୍ରରେ ଇନ୍‌କ୍ୟୁବେଟର୍‌ରେ ଥିବା ଧଳାବାଘ ଛୁଆଟି ଗତକାଲି ରାତିରେ ଆଖି ବୁଜିଛି। ଧଳାବାଘୁଣୀ ମୌସୁମୀର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିବା ଏହି ଛୁଆଟିର ମୃତ୍ୟୁ ପରେ ନନ୍ଦନକାନନରେ ଧଳାବାଘ ବଂଶବୃଦ୍ଧିକୁ ଏକ ଝଟ୍‌କା ଲାଗିଛି। କାରଣ ଗତବର୍ଷ ମୌସୁମୀର ପ୍ରଥମ ଗର୍ଭରୁ ଜନ୍ମ ନେଇଥିବା ୩ଶାବକଙ୍କର ମୃତ୍ୟୁ ହୋଇଥିଲା। ଏବର୍ଷ ତା’ର ଦ୍ବିତୀୟ ଗର୍ଭରୁ ଜନ୍ମ ନେଇଥିବା ୨ଶାବକଙ୍କ ମଧ୍ୟରୁ ଧଳା ଛୁଆଟିର ମୃତ୍ୟୁ ହୋଇଯାଇଛି।

ନନ୍ଦନକାନନର ଉପନିର୍ଦେଶକ ସନତ କୁମାର ନାରାୟଣଙ୍କ ସୂଚନାନୁସାରେ ସାଧାରଣ ନାଲିରଙ୍ଗର ମହାବଳ ରାଜେଶ ସହ ମିଳନରୁ ଧଳାବାଘୁଣୀ ମୌସୁମୀ ଗର୍ଭଧାରଣ କରିଥିଲା ଏବଂ ଜୁନ୍ ୭ ତାରିଖରେ ୨ଟିଛୁଆ ଜନ୍ମ ଦେଇଥିଲା। ସାଧାରଣ ନାଲିରଙ୍ଗର ମାଈଛୁଆଟି ସୁସ୍ଥ ଥିଲା ଏବଂ ମାତ୍ର ୬୫୦ ଗ୍ରାମ୍‌ ଓଜନର ଧଳାରଙ୍ଗର ଅଣ୍ଡିରା ଛୁଆଟି ସାମାନ୍ୟ ଦୁର୍ବଳ ଥିଲା। ତା’ର ଚାରିଗୋଡ଼ ପ୍ରାୟ ଅଚଳ ଥିଲା। ଦେଖାଗଲା ସେ ମାଆ ମୌସୁମୀଠାରୁ ସ୍ତନ୍ୟପାନ କରିପାରୁନାହିଁ। ତେଣୁ ଜୁନ୍‌ ୧୧ ତାରିଖରେ ତାକୁ ଶିଶୁପାଳନ କେନ୍ଦ୍ରକୁ ସ୍ଥାନାନ୍ତର କରାଗଲା। ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାଗଲା ଯେ ତା ନାଭିରେ ସଂକ୍ରମଣ ହୋଇଛି। ଶରୀରର ତାପମାତ୍ରା କମ୍‌ ଥିବାରୁ ତାକୁ ତୁରନ୍ତ ଇନ୍‌କ୍ୟୁବେଟର୍‌ରେ ରଖାଗଲା।

ଆବଶ୍ୟକ ଚିକିତ୍ସା ସହ ପ୍ରତିଦିନ ଫିଜିଓଥେରାପି ଓ ବ୍ୟାଣ୍ଡେଜ୍ କରାଯାଉଥିଲା। ତଥାପି ସେ ଠିଆ ହୋଇପାରିଲା ନାହିଁ। ଗତ ସପ୍ତାହ ସାରା ସେ ଗୋଟିଏ ଜାଗାରେ ଶୋଇ ରହିଲା। ଗତ ଦୁଇ ଦିନ ହେଲା ତା’ର ମଳଦ୍ୱାର ଓ କାନରୁ ରକ୍ତସ୍ରାବ ହେଲା। ଶେଷରେ ବାଘ ଛୁଆଟି ଶନିବାର ରାତିରେ ସବୁଦିନ ପାଇଁ ଆଖି ବୁଜିଦେଲା। ସୂଚନାଯୋଗ୍ୟ ଯେ ମୌସୁମୀର ଅନ୍ୟ ମାଈ ଛୁଆଟିର ଡାହାଣ ପଛ ଗୋଡ଼ରେ ଜନ୍ମଗତ ସମସ୍ୟା ଅଛି। ଗୋଡ଼ ଖଞ୍ଜାରେ ସମସ୍ୟା ଥିବାରୁ ଚାଲିବାରେ ସମସ୍ୟା ରହିଛି ବୋଲି ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି।  ଏବେ ନନ୍ଦନକାନନର ମୋଟ ବାଘ ସଂଖ୍ୟା ୨୮ ଏବଂ ସେମାନଙ୍କ ମଧ୍ୟରେ ୫ଟି ଧଳା ବାଘ (୩ଅଣ୍ଡିରା ଓ ୨ ମାଈ) ଅଛନ୍ତି।