Odia News Portal

୨୦୨୬ରୁ ସିବିଏସ୍‌ଇ ଦଶମରେ ୨ଟି ବୋର୍ଡ ପରୀକ୍ଷା: ମୁଖ୍ୟ ପରୀକ୍ଷା ବାଧ୍ୟତାମୂଳକ, ସର୍ବାଧିକ ୩ଟି ବିଷୟ‌ରେ ଦେଇ ହେବ ଇମ୍ପ୍ରୁ‌ଭ୍‌ମେଣ୍ଟ

ଜାତୀୟ ଶିକ୍ଷାନୀତି ୨୦୨୦ ଆଧାରରେ ସିବିଏସ୍‌ଇ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଦୁଇଟି ବୋର୍ଡ ପରୀକ୍ଷା ଦେବେ। ପ୍ରଥମଟି ହେବ ମେନ୍‌  ପରୀକ୍ଷା ଓ ଦ୍ବିତୀୟଟି ଇମ୍ପ୍ରୁଭ୍‌ମେଣ୍ଟ (ଇଚ୍ଛାଧୀନ)। ବୋର୍ଡ ପରୀକ୍ଷାର ବୋଝ ଲାଘବ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ଯୋଜନା କରାଯାଇ ଥିବା ବେଳେ ଏହା ୨୦୨୬ରୁ କାର୍ଯ୍ୟକାରୀ ହେବାକୁ ଯାଉଛି। ଉଭୟ ପରୀକ୍ଷାରେ ବିଭିନ୍ନ ବିଷୟରେ ରଖିଥିବା ନମ୍ବର ମଧ୍ୟରୁ ସର୍ବାଧିକ ନମ୍ବରକୁ ବିଚାର କରି ଚୂଡ଼ାନ୍ତ ଫଳ ପ୍ରକାଶ ପାଇବ।ସିବିଏସ୍‌ଇ ଦଶମ ଶ୍ରେଣୀର ପ୍ରଥମ ବୋର୍ଡ ବା ମେନ୍ ପରୀକ୍ଷା ଫେବ୍ରୁଆରି ମାସ ମଧ୍ୟଭାଗରେ ଏବଂ ଇମ୍ପ୍ରୁଭ୍‌‌ମେଣ୍ଟ ପରୀକ୍ଷା ମେ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବ। ଉଭୟ ମେନ୍‌ ଓ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷାର ପାଠ୍ୟକ୍ରମ ଓ ପ୍ରଶ୍ନପତ୍ର ଶୈଳୀ ସମାନ ରହିବ। ପ୍ରଥମ ପରୀକ୍ଷା(ମେନ୍ ଏକଜାମ୍‌)ର ଫଳାଫଳ ୨୦୨୬ ଏପ୍ରିଲ୍‌ରେ ଓ ଦ୍ବିତୀୟ ପରୀକ୍ଷା ପରେ ଚୂଡ଼ାନ୍ତ ଫଳାଫଳ ଜୁନ୍‌ ମାସରେ ପ୍ରକାଶ ପାଇବ। ପ୍ରଥମ ପରୀକ୍ଷା ପୂର୍ବରୁ ଇଣ୍ଟରନାଲ୍ ‌ଆସେସ୍‌ମେଣ୍ଟ (ସ୍କୁଲ ଆସେସ୍‌ମେଣ୍ଟ) କରାଯିବ ଓ ଏହା ମେନ୍ ଏକଜାମ୍‌ ପୂର୍ବରୁ ଗୋଟିଏ ଥର ପାଇଁ ହେବ। ମେନ୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଏହା ଡିଜି ଲକର୍‌ରେ ସଂରକ୍ଷିତ ହୋଇ ରହିବଏବଂ ଛାତ୍ରଛାତ୍ରୀଙ୍କ ଏକାଦାଶ ଶ୍ରେଣୀରେ ନାମଲେଖା ପାଇଁ ବ୍ୟବହାର ହୋଇପାରିବ। କିନ୍ତୁ ଛାତ୍ରଛାତ୍ରୀଙ୍କୁ ମାର୍କସିଟ୍ ପ୍ରଦାନ କରାଯିବ ନାହିଁ କିମ୍ବା ଏହି ପରୀକ୍ଷାର ଉତ୍ତର ଖାତାର ଫଟୋକପି, ପୁନଃମୂଲ୍ୟାୟନ, ସଂ‌ଶୋଧନ ପାଇଁ ଅନୁରୋଧ ଗ୍ରହଣ କରାଯିବ ନାହିଁ। ଦ୍ବିତୀୟ ପରୀକ୍ଷାଫଳ ପ୍ରକାଶ ପରେ ଉତ୍ତର ଖାତାର ଫଟୋକପି, ପୁନଃମୂଲ୍ୟାୟନ, ସଂ‌ଶୋଧନ ପାଇଁ ଅନୁରୋଧ ଗ୍ରହଣ କରାଯିବ। ଉଭୟ ମେନ୍ ଓ ଇମ୍ପ୍ରୁଭମେଣ୍ଟ ପାଇଁ ‌ପରୀକ୍ଷାକେନ୍ଦ୍ର ସମାନ ରହିବ। ଦ୍ବିତୀୟ ପରୀକ୍ଷା ପରେ ଛାତ୍ରଛାତ୍ରୀଙ୍କ ପାଇଁ ମାର୍କସିଟ୍ ସଂଲଗ୍ନ ପାସିଂ ସାର୍ଟିଫିକେଟ୍ ଉପଲବ୍‌ଧ ହେବ ଏବଂ ଏଥିରେ ଉଭୟ ପରୀକ୍ଷାର ନମ୍ବର, ଇଣ୍ଟରନାଲ୍, ପ୍ରାକ୍ଟିକାଲ ନମ୍ବର ପ୍ରଦର୍ଶିତ ହୋଇଥିବ। ସବୁ ପରୀକ୍ଷାର୍ଥୀଙ୍କ ପାଇଁ ମେନ୍ ପରୀକ୍ଷା ବାଧ୍ୟତାମୂଳକ। ‌ମେନ୍ ପରୀକ୍ଷା ଦେଇ ନ ଥିବା ଛାତ୍ରଛାତ୍ରୀ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ଦେଇପାରିବେ ନାହିଁ। କିନ୍ତୁ ମେନ୍‌ ପରୀକ୍ଷା ଓ ଜାତୀୟ ବା ଅନ୍ତର୍ଜାତୀୟ ସ୍ପୋର୍ଟସ୍‌ ଇଭେଣ୍ଟ ଏକା ସମୟରେ ପଡ଼ୁଥିଲେ କ୍ରୀଡ଼ାବିତ୍‌ (ଛାତ୍ରଛାତ୍ରୀ) ଓ ଶୀତପ୍ରଧାନ ଅଞ୍ଚଳର (ଜମ୍ମୁ କାଶ୍ମୀର, ଲଦାଖ) ଛାତ୍ରଛାତ୍ରୀ ପ୍ରଥମ ପରୀକ୍ଷା(ମେନ୍‌ ଏକଜାମ) ଦେଇ ନଥିଲେ ମଧ୍ୟ ଦ୍ବିତୀୟ ପରୀକ୍ଷା ଦେଇପାରିବେ। ଏହା ବ୍ୟତୀତ ଯେଉଁ ଛାତ୍ରଛାତ୍ରୀ ମେନ୍‌ରେ ଅତି କମ୍‌ରେ ତିନିଟି ପରୀକ୍ଷା ଦେଇଥିବେ, ସେମାନେ ଦ୍ବିତୀୟ ପରୀକ୍ଷା ଦେଇପାରିବେ। ମେନ୍‌ ପରୀକ୍ଷାରେ ଗୋଟିଏ ବା ଦୁଇଟି ବିଷୟରେ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କୁ ସଂପୃକ୍ତ ବିଷୟରେ କମ୍ପାର୍ଟମେଣ୍ଟାଲ୍‌ ଭାବେ ବି‌ବେଚନା କରାଯିବ। ଯେଉଁ ପରୀକ୍ଷାର୍ଥୀ ମେନ୍‌ରେ ତିନି ବା ଅଧିକ ବିଷୟରେ ଅନୁପସ୍ଥିତ ଥିବେ‌, ସେମାନେ ‘ଏସେନ୍‌ସିଆଲ୍ ରିପିଟ୍‌’ ଭବେ ପରିଗଣିତ ‌ହୋଇ ଦ୍ବିତୀୟ ପରୀକ୍ଷା ବଦଳରେ ଆସନ୍ତା ଶିକ୍ଷାବର୍ଷରେ ବୋର୍ଡ ପରୀକ୍ଷା ଦେବେ।‌ ମେନ୍ ପରୀକ୍ଷା ଦେଇଥିବା ଜଣେ ଛାତ୍ର ଅତିବେଶୀରେ ୩ଟି ବିଷୟକୁ ଇମ୍ପ୍ରୁଭ୍‌ମେଣ୍ଟ ପରୀକ୍ଷା ପାଇଁ ଚୟନ କରିବେ। ମେନ୍‌ ପରୀକ୍ଷାରେ ରଖିଥିବା ବିଷୟକୁ ଦ୍ବିତୀୟ ପରୀକ୍ଷା‌ରେ ପରିବର୍ତ୍ତନ କରିପାରିବେ ନାହିଁ। ଡିଏଭି ଏସ୍‌ସିବି ମେଡିକାଲ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷ ଶିକ୍ଷାବିତ ନିରଞ୍ଜନ ସ୍ବାଇଁଙ୍କ କହିବା ଅନୁସାରେ, ଜାତୀୟ ଶିକ୍ଷାନୀତି ଆଧାରରେ ୨୦୨୬ରେ ସିବିଏସ୍ଇ ଦଶମ ଶ୍ରେଣୀରେ ହେବାକୁ ଥିବା ଦୁଇଟି ‌ବୋର୍ଡ ପରୀକ୍ଷା ସ୍ବାଗତଯୋଗ୍ୟ ପଦ‌କ୍ଷେପ। ଏହା ଦ୍ବାରା ପରୀକ୍ଷାର୍ଥୀ ଚାପମୁକ୍ତ ହେବା ସହ ପ୍ରଥମ ପରୀକ୍ଷା ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ମଧ୍ୟରେ ରହିଥିବା ବ୍ୟବଧାନରେ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାଇବେ। ସେହିପରି ଭୁବନେଶ୍ବରସ୍ଥିତ ପୋଖରୀପୁଟ ଡିଏଭି ସ୍କୁଲ ଅଧ୍ୟକ୍ଷ ବିପିନ କୁମାର ସାହୁ ସିବିଏସ୍‌ଇ ପକ୍ଷରୁ ଦଶମ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ଦୁଇଟି ବୋର୍ଡ ପରୀକ୍ଷାକୁ ସ୍ବାଗତ କରିଛନ୍ତି। ଭଲ ଛାତ୍ରଛାତ୍ରୀଙ୍କୁ ଅଧିକ ନମ୍ବର ରଖିବାରେ ଓ ହାରାହାରି ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତୀର୍ଣ୍ଣ ହେବାରେ ଏହି ବ୍ୟବସ୍ଥା ବିଶେଷ ସହାୟକ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।