ଚଳଚଞ୍ଚଳ ହୋଇ ଉଠିଛି ନିଆଳୀ ନିକଟସ୍ଥ ମାଧବ ମନ୍ଦିର । ଶଙ୍ଖ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହୋଇ ଉଠୁଛି ପରିବେଶ । ଆଜି ସକାଳୁ ସକାଳୁ ମନ୍ଦିର ନିକଟସ୍ଥ ୨୫ରୁ ଅଧିକ ଗାଁର ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ମହାପ୍ରଭୁ ବଡ଼ ଠାକୁରଙ୍କ ପୋଢୁଆଁ ଭାର ଯିବାବେଳେ ସାମିଲ ହୋଇଥିଲେ । କିଛି ଭକ୍ତ ବିଭିନ୍ନ ବେଶରେ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବା ଲାଗି ନୃତ୍ୟ ପ୍ରଦର୍ଶନ କରିଛନ୍ତି । ଏପଟେ ଝାଞ୍ଜ ମୃଦଙ୍ଗ ଓ କୀର୍ତ୍ତନରେ କମ୍ପି ଉଠିଥିଲା ପରିବେଶ ।ରାତି ପାହିଲେ ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ବଡ଼ ଠାକୁର ହେବେ ପୋଢୁଆଁ । ମହାପ୍ରଭୁଙ୍କ ମାମୁଁ ଶ୍ରୀ ଶ୍ରୀ ମାଧବାନନ୍ଦଙ୍କ ମନ୍ଦିର ନିକଟରୁ ବଡ଼ ଠାକୁରଙ୍କ ପାଇଁ ପୋଢୁଆଁ ଭାର ଶ୍ରୀ ମନ୍ଦିର ଅଭିମୁଖେ ଆଜି ନିଆଳି ନିକଟସ୍ଥ ମାଧବ ମନ୍ଦିରରୁ ବଡ଼ ପଟୁଆର ଶୋଭାଯାତ୍ରାରେ ଯାଉଛି।କିମ୍ବଦନ୍ତୀ ଓ ପୁରାଣରେ ବର୍ଣ୍ଣିତ ରହିଛି ମା’ ମଙ୍ଗଳାଙ୍କ ଭାଇ ମାଧବ ହେଉଛନ୍ତି ମହାପ୍ରଭୁଙ୍କ ମାମୁଁ । ପ୍ରତ୍ୟେକ ବର୍ଷ ମାର୍ଗଶିର ମାସର କୃଷ୍ଣ ପକ୍ଷରେ ଯେଉଁ ଅଷ୍ଟମୀ ପଡିଥାଏ ସେହି ଦିନରେ ପ୍ରତ୍ୟେକ ଓଡ଼ିଆ ଘରର ପ୍ରଥମ ସନ୍ତାନ ନୂତନ ବସ୍ତ୍ର ପରିଧାନ କରି ପୋଢୁଆଁ ହୋଇଥାଏ । ସେହି ଆଧାରରେ ମହାପ୍ରଭୁ ବଡ଼ ଠାକୁରଙ୍କ ପାଇଁ ନିଆଳି ମାଧବ ମନ୍ଦିରରୁ ନୂତନ ବସ୍ତ୍ର ଓ ଫଳମୂଳ ଭାର ଯାଇଥାଏ ।ମହାପ୍ରଭୁଙ୍କ ଭବ୍ୟ ପୋଢୁଆଁ ଭାରକୁ ନିଆଳି ମାଧବ ମନ୍ଦିର ଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ଚାରିଛକ, ଗୋପ ଗଣେଶ୍ୱରପୁର ଓ ବାଲିଘାଇ ଭଳି ପ୍ରତ୍ୟେକ ସ୍ଥାନରେ ଘଣ୍ଟ କୀର୍ତ୍ତନ ନାମ ମାଧ୍ୟମରେ ସ୍ୱାଗତ କରାଯାଏ ।ପୋଢୁଆଁ ଅଷ୍ଟମୀ ପାଇଁ ମହାପ୍ରଭୁ ବଡ଼ ଠାକୁରଙ୍କ ସମେତ ତିନି ଦିଅଁଙ୍କ ପାଇଁ ଭାରରେ ବିରି, ମୁଗ, ଅରୁଆ, ଚାଉଳ, ଫଳମୂଳ ସମେତ ନୂତନ ବସ୍ତ୍ର ପଠାଯାଏ । ମନ୍ଦିର ଭିତରେ ମନ୍ଦିରର ମୁଖ୍ୟ ସେବାକାରୀ ତ୍ରିଲୋଚନ ପୁଷ୍ପାଳକ କର୍ତ୍ତା ହୋଇ ବସିବା ପରେ ମନ୍ଦିରର କୂଳ ପୁରଧାଙ୍କ ଦ୍ୱାରା ସମସ୍ତ ଦ୍ରବ୍ୟକୁ ମନ୍ତ୍ର ଶୋଧନ କରିବା ପରେ ନୂତନ ଶିକା ବାହୁଙ୍ଗି ଦ୍ୱାରା ଶ୍ରୀ ମନ୍ଦିର ଅଭିମୁଖେ ଯାତ୍ରା ହୋଇଥାଏ ।
