ବିଶ୍ବ ନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା-୨୦୨୬ ନିମନ୍ତେ ଆଜି ରଥକାଠ ଅନୁକୂଳ ପୂଜା ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ଆବାହମାନ କାଳରୁ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସହ ପ୍ରଥମ ରଥକାଠ ଯୋଗାଣ ହୋଇ ଆସୁଥିବା ବେଳେ ଆଜି ବନାଞ୍ଚଳ ପକ୍ଷରୁ ଏହାର ପ୍ରାକ୍ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଛି। ଏହି ପୂଜା ପ୍ରତିବର୍ଷ ପୈାଷମାସ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ।ବନଖଣ୍ତ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର ଦାଶ ମା’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ଗଣିଆ ବ୍ରାହ୍ମଣ ଶାସନସାହି ସ୍ଥିତ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ପାଞ୍ଜିଗଣନା କରି ଶୁଭଦିନ ନିର୍ଦ୍ଧାରଣ କରିଛନ୍ତି। ଆସନ୍ତା ଡ଼ିସେମ୍ବର ୨୩ ଓ ୩୦ ଦୁଇଟି ତାରିଖକୁ ପାଞ୍ଜିଗଣନା କରାଯାଇ ଶୁଭଦିନ ନିର୍ଦ୍ଧାରଣ କରାଯାଇଛି। ଏଥିମଧ୍ୟରୁ ୩୦ ତାରିଖ ଦିନଟି ସର୍ବୋକୃଷ୍ଟ ରହିଥିବା ଗଣକଙ୍କ ପକ୍ଷରୁ କୁହାଯାଇଛି।ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳ ସ୍ଥିତ ମା’ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ। ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ତ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ମା’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୁଏ। ମା’ ବଡ଼ରାଉଳଙ୍କ ପୀଠରେ ପୂଜାପରେ ମାଘ ମାସ ଶୁକ୍ଳ ପଞ୍ଚମୀ ଅର୍ଥାତ୍ ସରସ୍ବତୀ ପୂଜାଦିନ ରଥଖଳାରେ ରଥ ନିର୍ମାଣ ପାଇଁ ଅନୁକୂଳ ପୂଜା ନିମନ୍ତେ ପ୍ରଥମ ପର୍ଯ୍ୟାୟ ରଥକାଠ ଦଶପଲ୍ଲା ବନାଞ୍ଚଳରୁ ହିଁ ପହଞ୍ଚିଥାଏ।ରଥଖଳାରେ ନିର୍ଦ୍ଧାରିତ ସମୟ ପୂର୍ବରୁ ୧୨ ଫୁଟ ଲମ୍ବର ୩ଟି ଧଉରା କାଠ ପହଞ୍ଚିବାର ନିୟମ ରହିଛି। ପୂଜକଙ୍କ ଏହି ଟିପଣୀକୁ ବନଖଣ୍ତ ଅଧିକାରୀଙ୍କ ନିକଟକୁ ପଠାଇବା ପରେ ଶ୍ରୀମନ୍ଦିର ପ୍ରଶାସକ ନିକଟକୁ ଏହାକୁ ପଠାଯିବ। ଏହି ଦୁଇଟି ଦିନ ମଧ୍ୟରୁ ଯେ କୌଣସି ଗୋଟିଏ ଦିନ ଶ୍ରୀ ମନ୍ଦିର ପ୍ରଶାସକ ଧାର୍ଯ୍ୟ କରିବେ। ମା’ ବଡ଼ରାଉଳଙ୍କ ପୀଠରେ ପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ପହଞ୍ଚିବା ପରେ ପୂଜା ଉତ୍ସବ ଅନୁଷ୍ଠିତ ହେବବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।
