Odia News Portal

ରତ୍ନଭଣ୍ଡାର ତଦାରଖ କମିଟିର ଉଚ୍ଚସ୍ତରୀୟ ବୈଠକ: ରଥଯାତ୍ରା ପୂର୍ବରୁ ହୋଇପାରେ ଗଣତିମଣତି

କାର୍ଯ୍ୟାଳୟରେ ବସିଥିବା ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ୫ ଘଣ୍ଟାର ଆଲୋଚନା େହଲା। ମାତ୍ର ଗଣତିମଣତି କେବେ ହେବ, ତାରିଖ ଧାର୍ଯ୍ୟ ହୋଇ ପାରିଲାନାହିଁ। ଆସନ୍ତା ରଥଯାତ୍ରା ପୂର୍ବରୁ ଗଣତିମଣତି ହୋଇପାରେ ବୋଲି କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି। ଗଣତିମଣତି କିଭଳି ହେବ ସେ ନେଇ ଏସ୍‌ଓପିର ଏକ ଚିଠା ପ୍ରସ୍ତାବ ପାରିତ ହୋଇଛି। ଏହା ପରିଚାଳନା କମିଟିର ସ୍ବୀକୃତି ପାଇବା ପରେ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ସରକାର ଏସ୍‌ଓପି ଜାରି କରିବା ପରେ ଗଣତିମଣତି କରାଯିବ।ଶୁକ୍ରବାର ବସିଥିବା ବିଧି ସବ୍‌କମିଟି ବୈଠକରେ ଏକ ଚିଠା ପ୍ରସ୍ତାବ ଆଗତ କରାଯାଇଥିଲା। ସେ ଅନୁଯାୟୀ ଆଜି ଆଲୋଚନା ହୋଇଥିଲା। ଗଣତିମଣତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଯେଭଳି ବ୍ୟାଘାତ ନହେବ ତାହା ଉପରେ ଏଥିରେ ଗୁରୁତ୍ବ ଦିଆଯାଇଛି। ଗଣତିମଣତି ଦିନ ସର୍ବସାଧାରଣଙ୍କ ଦର୍ଶନ ବନ୍ଦ କରାଯିବ ନାହିଁ। କିନ୍ତୁ ଭିତରକାଠ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ବାହାରକାଠରୁ ଦର୍ଶନ କରିବେ। କେବଳ ଅଧିକୃତ ସେବକ ବା ପାଳିଆ ସେବକ ଗର୍ଭଗୃହକୁ ପ୍ରବେଶ କରିବେ। ସେମାନଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ। ତିନିଟି ପର୍ଯ୍ୟାୟରେ ଗଣତିମଣତି ହେବ। ପ୍ରଥମେ ଚଳନ୍ତି (ନିୟମିତ ବ୍ୟବହାର୍ଯ୍ୟ) ରତ୍ନ ଗଣତି କରାଯିବ। ପରେ ବାହାର ରତ୍ନଭଣ୍ଡାରର ଓ ଶେଷ ପର୍ଯ୍ୟାୟରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ।