ଶିଶୁପାଳଗଡ଼: ଜବରଦଖଲକାରୀଙ୍କୁ ନୋଟିସ୍ By Swadhikar News Last updated Dec 28, 2025 ଶିଶୁପାଳଗଡ଼ରେ ଜମି ଜବରଦଖଲ କରିଥିବା ୫୦ ପରିବାରକୁ ଭୁବନେଶ୍ବର ତହସିଲଦାର୍ ନୋଟିସ୍ କରିଛନ୍ତି। ତୁରନ୍ତ ଜବରଦଖଲ ଜମି ଛାଡ଼ିବାକୁ ନୋଟିସ୍ କରାଯାଇଛି। ଅନ୍ୟପକ୍ଷରେ ଜବରଦଖଲକାରୀମାନେ ଏକାମ୍ର ବିଧାୟକଙ୍କ ଦ୍ବାରସ୍ଥ ହୋଇ ସେମାନଙ୍କୁ ସୁରକ୍ଷା ଦେବାକୁ ଅନୁରୋଧ କରିଛନ୍ତି। ମାତ୍ର ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ହେବାକୁ ଥିବା ଜବରଦଖଲ ଉଚ୍ଛେଦକୁ ରୋକାଯାଇପାରିବ ନାହିଁ ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି। ଐତିହ୍ୟସଂପନ୍ନ ଗଡ଼ର ସୁରକ୍ଷା ବଡ଼ ପ୍ରସଙ୍ଗ। ଯେଉଁମାନଙ୍କର ଘର ଭାଙ୍ଗିବ, ସେମାନଙ୍କ ଥଇଥାନ ପାଇଁ ବିକଳ୍ପ ବ୍ୟବସ୍ଥା ଉପରେ ଚିନ୍ତା କରାଯାଉଛି ବୋଲି ସେ କହିଛନ୍ତି। ଚଳିତ ମାସ ୫ ତାରିଖ ଦିନ ଭୁବନେଶ୍ବର ତହସିଲଦାର ପତ୍ରସଂଖ୍ୟା ୩୨୧୭ରେ ଏହି ସର୍ବସାଧାରଣ ନୋଟିସ୍ କରିଛନ୍ତି। ଶିଶୁପାଳଗଡ଼ ମୌଜାରେ ରଖିତ କିସମ ଜମିରେ ଜବରଦଖଲ ଓ ଘର କରି ରହିଥିବା ଲୋକଙ୍କୁ ଏହି ନୋଟିସ୍ କରାଯାଇଛି। ଯେଉଁମାନେ ସରକାରୀ ଜମିରେ ଜବରଦଖଲ କରି ସ୍ଥାୟୀ ଗୃହ କରିଛନ୍ତି କିମ୍ବା ନିର୍ମାଣ କାମ ଜାରି ରଖିଛନ୍ତି, ସେମାନେ ନୋଟିସ୍ ପାଇବାର ୩୦ଦିନ ମଧ୍ୟରେ ଉକ୍ତ ସରକାରୀ ଜାଗାକୁ ସମ୍ପୂର୍ଣ ରୂପେ ପରିତ୍ୟାଗ କରନ୍ତୁ, ନଚେତ ଆଇନ ଅନୁଯାୟୀ ସରକାରୀ ଜମିକୁ ଜବରଦଖଲ ମୁକ୍ତ କରାଯିବ ଏବଂ ଜଗାରଖା ଦାୟିତ୍ବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରାଯିବ। ତହସିଲଦାର୍ଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ପୁଣି ଥରେ ଏହି ନୋଟିସ୍ ସମ୍ପୃକ୍ତ ଅଞ୍ଚଳରେ ଲଗାଯାଇଛି। ଉଲ୍ଲେଖଥାଉକି ଐତିହ୍ୟ ଶିଶୁପାଳଗଡ଼ର ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଭୁବନେଶ୍ବର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ କହିଛନ୍ତି। ଏଏସ୍ଆଇ ଅଧୀକ୍ଷକ ଏଏନ୍କେ ସ୍ବାଇଁ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଯେତେ ଶୀଘ୍ର ଉକ୍ତ ଜମିକୁ ଉଦ୍ଧାରକରି ହସ୍ତାନ୍ତର କରିବ, ସେତେ ଶୀଘ୍ର ଗଡ଼ର ସୁରକ୍ଷା ପାଇଁ ତାରବାଡ଼ ଓ ପାଚେରି ବୁଲାଇବାକୁ ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ ଯେ ଏକଦା ୫୬୭ ଏକର ପରିମିତ ଜମିରେ ଶିଶୁପାଳଗଡ଼ ଥିଲା। ଏବେ ମାତ୍ର ୭୭୭ ଡିସିମିଲ ଜମିରେ ଗଡ଼ର ଅସ୍ତିତ୍ବ ରହିଛି। ଜବରଦଖଲ ଓ କିଣାବିକାରେ ଗଡ଼ର ସବୁ ଜମି ହଜିଯାଇଛି। ଏନେଇ ଏକାମ୍ର ଜନ ଜାଗରଣ ମଞ୍ଚ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୨୦୨୨ ସେପ୍ଟେମ୍ବର ୨୦ରେ ଏକ ବୈଠକ ହୋଇଥିଲା। ଏହି ବୈଠକର ମାସକ ପରେ ଅର୍ଥାତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସଚିବ ଏକ ବୈଠକ ଡାକିଥିଲେ ଏବଂ ଶିଶୁପାଳଗଡ଼ର ଜମିକୁ ଜବରଦଖଲ ମୁକ୍ତ କରାଯାଇ ଏଏସ୍ଆଇକୁ ହସ୍ତାନ୍ତର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏବେ ସେଠାରେ ପାଖାପାଖି ୨ଶହ ଘର ଓ ୨୫ଟି ନିର୍ମାଣାଧୀନ ଘର ଥିବା ଅଭିଯୋଗ ହେଉଛି। swadhikarswadhikar news Share