ସମୁଦ୍ରର ଅତଳ ଗଭୀରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି ।
ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ ‘ଆଇଏନଏସ୍ ବାଘସୀରରେ ପ୍ରାୟ ତିନି ଘଣ୍ଟା ସମୟ ବିତାଇଥିଲେ । ଏହା ଭାରତୀୟ ନୌସେନାର ସାମରିକ ଦକ୍ଷତା ଏବଂ ‘ଆତ୍ମନିର୍ଭର ଭାରତ’ ଅଭିଯାନର ଏକ ବଡ଼ ସଫଳତା । ଯାତ୍ରା ସମୟରେ ବୁଡ଼ା ଜାହାଜଟି ସମୁଦ୍ର ଗଭୀରକୁ ଯାଇଥିଲା । ରାଷ୍ଟ୍ରପତି ସେଠାରେ ବୁଡ଼ା ଜାହାଜର କାର୍ଯ୍ୟପ୍ରଣାଳୀ, ଶତ୍ରୁପକ୍ଷକୁ ଚିହ୍ନଟ କରିବା ଏବଂ ପ୍ରତିରକ୍ଷା ରଣନୀତି ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ହାସଲ କରିଥିଲେ ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଏସିଆର ବୃହତ୍ତମ ନୌସେନା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଏହି ବେସ୍ ଭାରତର ପଶ୍ଚିମ ସାମୁଦ୍ରିକ ସୀମା ରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନୌସେନା କର୍ମଚାରୀଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଲୋଚନା କରିଥିଲେ । ସେ ନୌସେନାର ଅଧିକାରୀ ଓ ନାବିକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ସାହସିକତା ଓ ଦେଶ ପ୍ରତି ଥିବା ସମର୍ପଣକୁ ପ୍ରଶଂସା କରିଥିଲେ । ବିଶେଷ କରି ସମୁଦ୍ର ଗଭୀରରେ କଠିନ ପରିସ୍ଥିତିରେ କାର୍ଯ୍ୟ କରୁଥିବା ‘ସବ୍ ମେରିନର୍ସ’ଙ୍କୁ ଉତ୍ସାହିତ କରିଥିଲେ । ଏହି ଯାତ୍ରା ଭାରତୀୟ ନୌସେନାର ମନୋବଳ ବଢ଼ାଇବା ସହ ବିଶ୍ୱକୁ ଭାରତର ବୃଦ୍ଧି ପାଉଥିବା ସାମୁଦ୍ରିକ ଶକ୍ତିର ବାର୍ତ୍ତା ଦେଇଛି ।
ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁଖୋଇ-୩୦ ଯୁଦ୍ଧ ବିମାନରେ ମଧ୍ୟ ଉଡ଼ାଣ ଭରି ସାରିଛନ୍ତି । କାଲଭାରୀ ଶ୍ରେଣୀର ବୁଡ଼ାଜାହାଜରେ ଯାତ୍ରା କରିବାରେ ଏପିଜେ ଅବଦୁଲ କଲାମଙ୍କ ପରେ ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଦ୍ବିତୀୟ ରାଷ୍ଟ୍ରପତି । ଏହି ଅବସରରେ ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ ତ୍ରିପାଠୀ ଉପସ୍ଥିତ ଥିଲେ । ଶତ୍ରୁର ରାଡାରକୁ ଚକମା ଦେଇପାରିବ INS ବାଘସୀର ।
