ଆମେରିକାର ନ୍ୟୁ ଜର୍ସିରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହେବା ଫଳରେ ଖଣ୍ଡ ଖଣ୍ଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ରିପୋର୍ଟ ଅନୁଯାୟୀ, ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହୋଇଥିଲା । ହାମଣ୍ଟନ୍ ପୋଲିସ ମୁଖ୍ୟ କହିଛନ୍ତି ଯେ, ଉଦ୍ଧାରକାରୀ ଦଳକୁ ସକାଳ ପ୍ରାୟ ୧୧:୨୫ ସମୟରେ ଦୁର୍ଘଟଣା ବିଷୟରେ ସୂଚନା ମିଳିଥିଲା । ପୋଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ଗୋଟିଏ ହେଲିକପ୍ଟର ଭିତରେ ଲାଗିଥିବା ନିଆଁକୁ ଲିଭାଇ ଦେଇଥିଲେ ।
ଫେଡେରାଲ୍ ଏଭିଏସନ୍ ପ୍ରଶାସନ ହାମଣ୍ଟନ୍ ମ୍ୟୁନିସିପାଲ୍ ବିମାନବନ୍ଦର ଉପରେ ଏକ ଏନଷ୍ଟ୍ରମ୍ F-28A ହେଲିକପ୍ଟର ଏବଂ ଏନଷ୍ଟ୍ରମ୍ 280C ହେଲିକପ୍ଟର ମଧ୍ୟରେ ଧକ୍କା ହେବା ଯୋଗୁଁ ଦୁର୍ଘଟଣା ଘଟିଥିବା ନେଇ ରିପୋର୍ଟରୁ ଜଣାପଡିଛି । ଏଥିରେ କେବଳ ପାଇଲଟ୍ ଥିଲେ । ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲେ ଏବଂ ଅନ୍ୟ ଜଣଙ୍କୁ ଗୁରୁତର ଆହତ ସହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
