ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ମୋହର ମାରିଛି। ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ‘ଆତ୍ମନିର୍ଭର ଭାରତ’ ଗଠନ ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼ର ବିଷୟବସ୍ତୁ ରହିଛି ‘ସମୃଦ୍ଧିର ମନ୍ତ୍ର ଆତ୍ମନିର୍ଭର ଭାରତ’। ଶ୍ରୀଜଗନ୍ନାଥ ରଥର ଭୂମି ଭାବେ ନିର୍ମିତ ପ୍ରଜ୍ଞାପନ ମେଢ଼ର ସମ୍ମୁଖ ଭାଗ ଉପରେ ଲିଙ୍ଗଗତ ସମାନତା ଏବଂ ମହିଳା ସଶକ୍ତୀକରଣ ପ୍ରତି ଓଡ଼ିଶାର ପ୍ରତିଶ୍ରୁତିବଦ୍ଧତା ପ୍ରଦର୍ଶନ କରାଯାଇଥିବା ବେଳେ, ମଧ୍ୟ ଭାଗରେ ସ୍ଥାୟୀ ଜୀବିକା ଓ ରାଜ୍ୟର କୃଷି ଉତ୍କୃଷ୍ଟତାର ପ୍ରତିନିଧି ସ୍ୱରୂପ କୋରାପୁଟ କଫି ଏବଂ ଏହାର ଅପର ପାର୍ଶ୍ୱରେ ଉନ୍ନତ ପ୍ରଯୁକ୍ତିବିଦ୍ୟା ଆଧାରିତ ଜଟିଳ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉତ୍ପାଦନ ଦିଗରେ ଓଡ଼ିଶାର ପ୍ରଗତିକୁ ସିଲିକନ୍ ସେମିକଣ୍ଡକ୍ଟର ଚିପ୍ ମାଧ୍ୟମରେ ଉପସ୍ଥାପିତ କରାଯିବ। ପଶ୍ଚାତ୍ ଭାଗରେ ଓଡ଼ିଶାର ଅନନ୍ୟ ସ୍ଥାପତ୍ୟ ଏବଂ କାଳଜୟୀ କଳାତ୍ମକ ଐତିହ୍ୟର ପ୍ରଦର୍ଶନସ୍ୱରୂପ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିରୂପ ସ୍ଥାନିତ ହେବ। ସମ୍ବଲପୁରୀ ବସ୍ତ୍ର ଆଚ୍ଛାଦିତ ପ୍ରଜ୍ଞାପନ ମେଢ଼ର ଉଭୟ ପାର୍ଶ୍ୱରେ ପାରମ୍ପରିକ ଜନଜାତି ଚିତ୍ରକଳା ଉପରେ ରୁପା ତାରକସି କାରୁକାର୍ଯ୍ୟ, ଓଡ଼ିଶାର ଗରିମାମୟ ସାଂସ୍କୃତିକ ପରିଚୟ ଏବଂ ଉତ୍କୃଷ୍ଟ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରିବ। ଲୋକନୃତ୍ୟ ଚଇତି ଘୋଡ଼ା ମାଧ୍ୟମରେ ନୃତ୍ୟଶିଳ୍ପୀମାନେ ଆତ୍ମନିର୍ଭର ଭାରତରେ ଓଡ଼ିଶାର ଭୂମିକାକୁ ପ୍ରଜ୍ଞାପନ ମେଢର ଉଭୟ ପାର୍ଶ୍ୱରେ ଉପସ୍ଥାପନ କରିବେ।
