ଖଣ୍ଡଗିରି ଗୁମ୍ଫାରେ ଗୁଞ୍ଜରିତ ହେଲା ମନ୍ତ୍ରଧ୍ୱନି: ଆରମ୍ଭ ହେଲା ଖଣ୍ଡଗିରି ମାଘମେଳା By Swadhikar News Last updated Jan 26, 2026 ପବିତ୍ର ମାଘ ସପ୍ତମୀରୁ ଖଣ୍ଡଗିରି-ଉଦୟଗିରିରେ ଆରମ୍ଭ ହୋଇଛି କୁମ୍ଭମେଳା। ଶତାଧିକ ସାଧୁସନ୍ଥ ପବିତ୍ର ତପୋଭୂମିରେ ଏକାଠି ହୋଇଛନ୍ତି ଏବଂ ହୋମଯଜ୍ଞ, ଭଜନ କୀର୍ତ୍ତନ ଓ ପାରାୟଣ ଆରମ୍ଭ କରିଛନ୍ତି। ଆଜି ପ୍ରତ୍ୟୁଷରୁ ଗିରିଗହ୍ବର ସବୁ ମନ୍ତ୍ରଧ୍ବନିରେ ଗୁଞ୍ଜରିତ ହେଉଛି। ଆକାଶଗଙ୍ଗା, ଗୁପ୍ତଗଙ୍ଗା, ଲଳିତାକୁଣ୍ଡ, ଶ୍ୟାମାକୁଣ୍ଡ ଓ ରାଧାକୁଣ୍ଡରେ ସ୍ନାନ କରି ସାଧୁସନ୍ଥମାନେ ନିଜ ଆସ୍ଥାନ ସ୍ଥଳରେ ବିରାଜମାନ କରିଛନ୍ତି। କିଛି ସନ୍ଥ କୋଣାର୍କ ଚନ୍ଦ୍ରଭାଗାରେ ବୁଡ଼ ପକାଇ ଖଣ୍ଡଗିରିରେ ପହଞ୍ଚିଛନ୍ତି। ଆଜି ସକାଳ ୭ଟାରେ ମା’ ବାରଭୁଜାଙ୍କ ପୀଠରେ ଖଣ୍ଡଖିରି ଭୋଗଲାଗି ହୋଇଥିଲା। ଖଣ୍ଡଖିରି ପ୍ରସାଦ ପାଇଲେ ବହୁ ବ୍ୟାଧି ଦୂର ହେବା ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ସାଧାରଣରେ ବିଶ୍ବାସ ରହିଛି। ସନ୍ଧ୍ୟାରେ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ସାଧୁସନ୍ଥଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ବାବା ଆର୍ତ୍ତତ୍ରାଣ, ଷ୍ଟାଣ୍ଡିଂ ବାବା, ହୁଗୁଳିରୁ ଆସିଥିବା ମାତା ବୋମାମାଈ, ଜୁନା ଆଖଡ଼ାରୁ ଆସିଥିବା ବାବା ଦିଗମ୍ବର ବମନପୁରୀ ମହାରାଜ, କୋରାପୁଟରୁ ଆସିଥିବା ବାବା ରାମ ନାରାୟଣ ଦାସଙ୍କ ପାଖରେ ଭକ୍ତଙ୍କର ଅଧିକ ଭିଡ଼ ଜମୁଛି। ସନ୍ଧ୍ୟା ୬ଟା ବେଳକୁ ଜାଗମରା ଗ୍ରାମ ପୁଷ୍କରିଣୀରୁ କଳସଯାତ୍ରା କରି ଶତାଧିକ ଶ୍ରଦ୍ଧାଳୁ ମା’ବାରଭୁଜାଙ୍କ ନିକଟରେ ପହଞ୍ଚିଥିଲେ। ସେଠାରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ନିକଟରେ ଅଖଣ୍ଡ ଦୀପ ଲଗାଯାଇ ଯଜ୍ଞ ଆରମ୍ଭ ହୋଇଥିଲା।ମେଳାର ପ୍ରଥମ ଦିନରେ ମହିଳାମାନେ ଚୁଡ଼ିଠାରୁ ଶାଢ଼ି ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଜିନିଷ କିଣିବା ଦେଖିବାକୁ ମିଳିଛି। ହରେକ୍ ମାଲ୍ ଦୋକାନରେ ବେଶି ଭିଡ଼। ରାଜସ୍ଥାନୀ ଚୁଡ଼ି କିଣିବାକୁ ମହିଳାମାନେ ପସନ୍ଦ କରୁଛନ୍ତି। ଟାଟୁବାଲାଙ୍କ ବେପାର ବି ଭଲ ଜମୁଛି। ଯୁବକ ଯୁବତୀମାନେ ଟାଟୁ କରିବାକୁ ଅପେକ୍ଷା କରୁଥିବା ଦେଖାଯାଇଥିଲା। ବିଧି ଅନୁସାରେ କୁମ୍ଭମେଳାର ପ୍ରଥମ ଦିନ ରାତିରେ ପ୍ରଭୁ ଅନନ୍ତ କେଶରୀ, ରାଣୀ ହଂସପୁରକୁ ଯାତ୍ରା କରନ୍ତି। ତେଣୁ ଆଜି ରାତିରେ ଜାଗମରା ନାଗାମଠରୁ ସୁସଜ୍ଜିତ ବିମାନରେ ପ୍ରଭୁ ଅନନ୍ତ କେଶରୀ ଉଦୟଗିରି ପାହାଡ଼ସ୍ଥିତ ରାଣୀଗୁମ୍ଫାକୁ ଯାଇଥିଲେ। ବାଜା, ବାଣ ଓ ଶୋଭାଯାତ୍ରାରେ ପ୍ରଭୁ ଅନନ୍ତକେଶରୀ ରାଣୀ ହଂସପୁରକୁ ବିଜେ କରିଥିଲେ। ଏଥର ଆତସବାଜି କାର୍ଯ୍ୟକ୍ରମରେ ୫ଟି ବାଣୁଆ ଦଳ ଏକପ୍ରକାର ପ୍ରତିଯୋଗିତା କରିଥିଲେ। ହୋଇଥିଲା। ଗଛ ବାଣଠାରୁ ଆରମ୍ଭକରି ହାବେଳି ପର୍ଯ୍ୟନ୍ତ ବିଭିନ୍ନ ବାଣ ଖଣ୍ଡଗିରି ଆକାଶକୁ ଝଲମଲ କରିପକାଇଥିଲା। ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା ଓ ମୃଦଙ୍ଗ, ଘୋଡ଼ାନାଚ, ରାବଣନାଚ, ଦୁଲୁକି ଆଦି ସାମିଲ ହୋଇଥିଲା। ଗାଁ ପରିକ୍ରମା କରିବା ଭିତରେ ପ୍ରଭୁ ଅନନ୍ତକେଶରୀଙ୍କୁ ଚାଚେରି ଭୋଗ ବଢ଼ାଯାଇଥିଲା। ବିଳମ୍ବିତ ରାତିରେ ଠାକୁର ନାଗାମଠକୁ ଫେରିଥିଲେ। ବିଧି ଅନୁସାରେ ରାଣୀ ହଂସପୁରରୁ ଠାକୁର ମଠକୁ ଫେରିବା ବେଳେ ନିଶାର୍ଦ୍ଧରେ ନିସ୍ତବ୍ଦରେ ଫେରନ୍ତି। ରାଣୀ ହଂସପୁର ଦୋଳବେଦିରେ ବିରାଜମାନ କରିବା ପୂର୍ବରୁ ପ୍ରଭୁ ଅନନ୍ତକେଶରୀ ଲଳିତାକୁଣ୍ଡରେ ଚାପ ଖେଳନ୍ତି। କିନ୍ତୁ କିଛି ବର୍ଷ ହେଲା ଚାପ ଖେଳ ବନ୍ଦ ହୋଇଯାଇଛି। କୁମ୍ଭମେଳା ଅଛି, ଲଳିତାକୁଣ୍ଡ ଅଛି, ମାତ୍ର ନା ଅଛି ନୌକା, ନା ହେଉଛି ଚାପଖେଳ।ଚଳିତବର୍ଷ ୫୮୦ ବ୍ୟବସାୟୀଙ୍କୁ ଅନୁମତି ଦିଆଯାଇଛି। ଫେବ୍ରୁଆରି ୭ ତାରିଖ ପର୍ଯ୍ୟନ୍ତ ସେମାନେ ମେଳାରେ ବ୍ୟବସାୟ କରିପାରିବେ। ପ୍ରତି ବ୍ୟବସାୟୀଙ୍କୁ ପ୍ଲାଷ୍ଟିକ ବ୍ୟବହାର କରିବାକୁ ବାରଣ କରାଯାଇଛି। ନଚେତ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଏମ୍ସି ଚେତାବନୀ ଦେଇଛି। swadhikarswadhikar news Share