ରାଜା ବଳିଙ୍କ ସହ ମା’ ବାସୁଳିଙ୍କ ବାହାଘର, ବଜରପୁର ଗାଁର ସ୍ବତନ୍ତ୍ର ପରମ୍ପରା By Swadhikar News Last updated Feb 2, 2026 ବାଜାର ତାଳେ ତାଳେ ବରଯାତ୍ରୀଙ୍କ ପାଦ ଉଠୁଛି ପଡୁଛି । ବର ଆସୁଛି ବାଣ ରୋଷଣୀରେ କମ୍ପୁଛି ଗାଁ ଦାଣ୍ଡ । ରାସ୍ତା ୨କଡରେ ଭିଡ ଜମାଇଛନ୍ତି ଦେଖଣାହାରୀ । ଏ କୌଣସି ସାଧାରଣ ବାହାଘରର ଦୃଶ୍ୟ ନୁହେଁ କେନ୍ଦ୍ରପଡା ଜିଲ୍ଲା ବଜରପୁର ଗାଁର ଆରାଧ୍ୟ ଦେବୀ ମା’ ବାସୁଳିଙ୍କ ବାହାଘର ପାଇଁ ଏ ସାଜ୍ଜସଜ୍ଜା । ରିଘାଗଡ଼ ଗାଁର କୁମ୍ଭାର ରାଜା ବଳିଙ୍କ ସହିତ ମା’ ବାସୁଳିଙ୍କ ବିବାହ ଅନୁଷ୍ଠିତ ହେଉଛି । ଦେବୀ ମାନବ ବିବାହର ଏହା ହେଉଛି ଏକ ନିଆରା ନିଦର୍ଶନ ।ଏହା ହେଉଛି ଏକ ନିଆରା ବାହାଘର । ଜଣେ ମଣିଷ ସହ ଦେବୀଙ୍କର ବିବାହ ଶୁଣିଲେ ଆପଣଙ୍କୁ ନିଶ୍ଚିନ୍ତ ଆଶ୍ଚର୍ଯ୍ୟ ଲାଗୁଥିବ କିନ୍ତୁ ଏହା ସତ । କେନ୍ଦ୍ରପଡା ଜିଲ୍ଲା ରାଜକନିକା ନିକଟସ୍ତ ବଜରପୁର ଗାଁରେ କାହିଁ କେଉଁ କାଳରୁ ଏପରି ଏକ ପରମ୍ପରା ପାଳିତ ହୋଇଆସୁଛି । ଏଥର ଏହି ନିଆରା ବାହାଘରକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିଥିଲା ।କିମ୍ବଦନ୍ତୀର ଏହି ପୁରୁଣା କାହାଣୀ ଆନୁଯାୟୀ ପ୍ରତି ବର୍ଷ ଅଗ୍ନୀ ଉତ୍ସବ ପୁର୍ଣ୍ଣିମାରେ ବଜରପୁର ଗାଁରେ ଆୟେଜିତ ହୋଇଥାଏ ମା’ ବାସୁଳିଙ୍କ ବାହାଘର । କୁମ୍ଭାର ରାଜା ବଳିର ବଂଶଧରମାନେ ବଳି ଓ ବାସୁଳିର ପ୍ରତିମୂର୍ତ୍ତି ଧରି ବାଜା ରୋଷଣୀ ସହ ବଜରପୁରରେ ପହଞ୍ଚିଥାନ୍ତି । କନ୍ୟା ପକ୍ଷରୁ ସ୍ବାଗତ କରାଯିବା ପରେ ପୂଜକ ମା’ ବାସୁଳାଇଙ୍କ ପିତା ହୋଇ ଏହି ବିବାହରେ କନ୍ୟାଦାନ କରିଥାନ୍ତି । ଏହି ଉତ୍ସବ ପୁର୍ଣିମା ଠାରୁ ୭ ଦିନ ଯାଏ ୨୨ଟି ମୌଜାର ଲୋକେ ପାଳନ କରିଥାନ୍ତି । ବଜରପୁର ଗାଁର ଏହି ପରମ୍ପରା ସ୍ବତନ୍ତ୍ର । ଏହି ପରମ୍ପରା ଭାଇଚାରା ଓ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ପାଇଁ ଆଣିଥାଏ ସୁଯୋଗ । swadhikarswadhikar news Share