ପୁରୀର ପ୍ରସିଦ୍ଧ ପ୍ରଭୁ ଶ୍ରୀ ଲୋକନାଥ ଦେବଙ୍କ ମନ୍ଦିରରେ ପଙ୍କୋଦ୍ଧାର ଏକାଦଶୀ ନୀତି ଅନୁଷ୍ଠିତ ହୋଇଛି । ବର୍ଷର ଏହି ଗୋଟିଏ ଦିନ ପ୍ରଭୁ ଶ୍ରୀ ଲୋକନାଥଙ୍କ ଗମ୍ଭୀରା ଭିତରକୁ ଯାଇ ଭକ୍ତ ଓ ଶ୍ରଦ୍ଧାଳୁ ଦର୍ଶନ କରିଥାନ୍ତି । ଭାରତବର୍ଷର ଅନ୍ୟ କୌଣସି ଶୈବପୀଠ କିମ୍ୱା ମନ୍ଦିରରେ ପଙ୍କୋଦ୍ଧାର ସ୍ୱତନ୍ତ୍ର ରୀତି ନୀତି ନାହିଁ । ଶ୍ରୀମନ୍ଦିର ସହ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ଶ୍ରୀଲୋକନାଥ ମନ୍ଦିରରେ ମହାଶିବରାତ୍ରି ପୂର୍ବରୁ ପଙ୍କୋଦ୍ଧାରର ସ୍ୱତନ୍ତ୍ର ନୀତି କରାଯାଇଥାଏ । ବର୍ଷତମାମ ଫୁଲ, ବେଲପତ୍ର, କ୍ଷୀର, କଦଳୀ, ଦହି, ସୁନା ରୂପାରେ ଆଛାଦିତ ହୋଇ ରହୁଥିବା ମହାପ୍ରଭୁ ଶ୍ରୀଲୋକନାଥଙ୍କ ଏହି ସମସ୍ତ ସାମଗ୍ରୀକୁ ବାହାର କରାଯାଇଛି । ଆଜିଠାରୁ ମହାଶିବରାତ୍ରୀ ଯାଏଁ ୩ ଦିନ ଧରି ଜଳି ରହିବ ଜଗତମଙ୍ଗଳ ଦୀପ l ଏଥିସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାରିକେଟ ବ୍ୟବସ୍ଥା କରାଯାଇଛି l ତେବେ ଗତକାଲି ରାତ୍ର ୧୨ଟା ୩୦ରେ ଦ୍ବାର ଖୋଲା, ୧ ଟା ୧୫ ରେ ମଙ୍ଗଳଆଳତି ଓ ଅବକାଶ, ରାତ୍ର ୧ ଟା ୪୫ ରୁ ୩ ଟା ମଧ୍ୟରେ ସକାଳଧୂପ ଓ ମଧ୍ୟାହ୍ନଧୂପ ପରେ ଭୋର ୪ଟା ରୁ ସକାଳ ୮ ପର୍ଯ୍ୟନ୍ତ ପଙ୍କୋଦ୍ଧାର କରାଯାଇ ମାଘ ସ୍ନାନ ନୀତି ଅନୁଷ୍ଠିତ ହୋଇଛି। ଦିନ ୧୨ ଟା ରୁ ରାତ୍ର ୧୦ ଟା ଯାଏଁ ସର୍ବସାଧାରଣ ଦର୍ଶନ ହେବାପରେ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହୋଇ ବଡ଼ସିଂହାର ବେଶ କରାଯିବ ବୋଲି କହିଛନ୍ତି ସେବାୟତ। ସେପଟେ ପଙ୍କୋଦ୍ଧାର ଏକାଦଶୀ ରେ ୪ହଜାର ଓ ଜାଗର ଯାତ୍ରା ଦିନ ୬ ହଜାର ସ୍ବତନ୍ତ୍ର ଦର୍ଶନ ଟିକେଟ ବିକ୍ରି ହୋଇଛି l
