Odia News Portal

ବୈତରଣୀ ନଦୀରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବାରୁଣୀ ସ୍ନାନ

ଯାଜପୁରରେ ପ୍ରବାହିତ ପୂଣ୍ୟତୋୟା ବୈତରଣୀ ନଦୀରେ ଆଜି ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିଛନ୍ତି। ଏଥିସହିତ ବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି । ଏହି ଇତିହାସ ବର୍ଣ୍ଣିତ ଓ ପୁରାଣ ପ୍ରସିଦ୍ଧ ବାରୁଣୀ ସ୍ନାନ ପାଇଁ ଜିଲ୍ଳା ଓ ଜିଲ୍ଳା ବାହାରୁ ବହୁ ଭକ୍ତ ଯୋଗ ଦେଇଛନ୍ତି। ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୁପ । ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଆଜି ବାରୁଣୀ ସ୍ନାନ । ଏଥିପାଇଁ ପାପହାରିଣୀ ବୈତରଣୀ ନଦୀ କୂଳ ଲୋକାରଣ୍ୟ । ନଦୀରେ ପବିତ୍ର ସ୍ନାନ କରିବା ଓ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ପାଇଁ ହୋଇଛି ହଜାର ହଜାର ଭକ୍ତଙ୍କ ସମାଗମ । କଳୌ ବୈତରଣୀ ଗଙ୍ଗା ଅର୍ଥାତ୍ କଳିଯୁଗରେ ବୈତରଣୀ ସ୍ୱୟଂ ଗଙ୍ଗା ଅଟନ୍ତି ।ଶାସ୍ତ୍ରୀୟ ମତ ଅନୁସାରେ ବୈତରଣୀରେ ଯୋଗସ୍ନାନ,ପିଣ୍ଡଦାନ ଓ ଗୋଦାନ ପ୍ରଭୃତି କରାଯାଏ । ଗଙ୍ଗାନନଦୀ ପରି ଏହି ନଦୀରେ ପ୍ରତିବର୍ଷ ଚୈତ୍ର ମାସ ତ୍ରୟୋଦଶି ତିଥି ଶତ ଭିକ୍ଷା ନକ୍ଷତ୍ର ତିଥିରେ ପବିତ୍ର ଯୋଗସ୍ନାନ କରାଯାଏ । ବିଶ୍ୱାସ ରହିଛି ଏହି ପବିତ୍ର ଦିନରେ ପୂର୍ବ ପୂରୁଷ ମାନେ ଆସି ପିଣ୍ଡ ପାଇବା ପାଇଁ ଏହି ବୈତରଣୀ ନଦୀ କୁଳରେ ଅପେକ୍ଷା କରିଥାନ୍ତି । ସେଥିପାଇଁ ପୂର୍ବପୁରୁଷଙ୍କୁ ପିଣ୍ଡଦାନ ପାଇଁ ବିଶେଷ ଭିଡ ହୋଇଥିଲା। ଏହି ଅବସରରେ ଯାଜପୁର ପୌରପ୍ରଶାସନ ପକ୍ଷରୁ ବ୍ୟାପକ  ଆୟୋଜନ ହୋଇଛି । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ନଦୀରେ ଅସ୍ଥାୟୀ ବ୍ୟାରିକେଟ କରିବା ସହ ଶୃଙ୍ଖଳିତ ବୁଡ଼ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଫେଇ ଓ ଜଳଛତ୍ର କରାଯାଇଛି। ଉଭୟ ମେଳା ଓ ବାରୁଣୀ ସ୍ନାନ ପାଇଁ ହେଉଥିବା ଭିଡକୁ ଲକ୍ଷ୍ୟ କରି ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଟ୍ରାପିଂକ ବ୍ୟବସ୍ଥାକୁ କଡାକଡି କରାଯାଇଛି ।ବାରୁଣୀ ସ୍ନାନ ପାଇଁ ଆସିଥିବା ହଜାର ହଜାର ଶ୍ରଦ୍ଦାଳୁ ସ୍ନାନ ସାରିବା ପରେ ମା ବିରଜା,ବରାହ,ଜମ ମା ସାତ ଭଉଣୀ,ଶନି ମନ୍ଦିରରେ ଦର୍ଶନ କରି ପ୍ରଭୁଙ୍କ କୃପା ଭିକ୍ଷା କରନ୍ତି।