ଖରାଦିନେ ଲିଚୁ ଖାଇବାକୁ ଭାରି ଭଲ ଲାଗିଥାଏ । ପ୍ରତିବର୍ଷ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଖରାଦିନେ ଫଳିଥିବା ଲିଚୁର ଚାହିଦା ଆକାଶଛୁଆଁ ହୋଇଯାଏ । ଅନ୍ୟ ଲିଚୁ ତୁଳନାରେ ଏହି ଲିଚୁର ଆକାର ବଡ଼ ଓ ସ୍ବାଦରେ ଖୁବ୍ ମିଠା ହୋଇଥାଏ । ଏହି ଅଞ୍ଚଳରେ ପ୍ରାୟ 150 ବର୍ଷ ଧରି ରାଜାଙ୍କ ଶାସନ କାଳରୁ ଲିଚୁ ଚାଷ ହୋଇ ଆସୁଛି । ଚଳିତବର୍ଷ ଭଲ ଅମଳ ହୋଇଥିବା ବେଳେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଚାଷ କିଛି ବର୍ଷ ଧରି ପ୍ରଭାବିତ ହେଉଥିବା ଚାଷୀମାନେ ପ୍ରକାଶ କରିଛନ୍ତି ।
ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡ ଲିଚୁ ଚାଷ ପାଇଁ ଦୀର୍ଘ ବର୍ଷ ହେଲା ନିଜର ପରିଚୟ ବଜାୟ ରଖିଛି l ଏହି ଅଞ୍ଚଳରେ 400ରୁ 500 ଜଣ ଲିଚୁ ଚାଷୀ ଅଛନ୍ତି l ଏଠାକାର ଲିଚୁ ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ଼, ବିଳାସପୁର ଓ ଟାଟା ଆଦି ସ୍ଥାନକୁ ରପ୍ତାନି ହୋଇଥାଏ । ଏହି ଅଞ୍ଚଳରେ ଥିବା ଗୁଦୁଗୁଦା ଜଳପ୍ରପାତ ଓ ଘଞ୍ଚ ଜଙ୍ଗଲ ଲିଚୁ ଚାଷକୁ ସୁହାଇଥାଏ । ଚଳିତ ବର୍ଷ 400 ଟନରୁ ଊର୍ଦ୍ଧ୍ବ ଲିଚୁ ଉତ୍ପାଦନ ହୋଇଥିବା ଚାଷୀ କହିଛନ୍ତି । ଏହା ଦ୍ୱାରା ଚାଷୀଙ୍କ ସହ ଖୁଚୁରା ବେପାରୀ ଭଲ ରୋଜଗାର କରୁଛନ୍ତି ।ସ୍ଥାନୀୟ ଚାଷୀ ମିତ୍ରଭାନୁ ପଟେଲଙ୍କଅନୁସାରେ ବ୍ରିଟିଶ ଶାସନ କାଳରୁ ପ୍ରାୟ 150 ବର୍ଷ ପୂର୍ବରୁ ଦେବଗଡ଼/ବାମଣ୍ଡା ରାଜା ଭାନୁଗଙ୍ଗ ତ୍ରିଭୁବନ ଦେବ ଏହି ଅଞ୍ଚଳରେ ଲିଚୁ ଚାଷ ଆରମ୍ଭ କରିଥିଲେ l ସେହି ଦିନଠୁଁ ଏଠାରେ ଲିଚୁ ଚାଷ ହୋଇ ଆସୁଥିଲା lଏହି ଅଞ୍ଚଳରେ ରାଜା ଙ୍କ ଏକ ଲିଚୁ ବଗିଚା ଥିଲା l ଏଠାରେ 144 ଟି ଗଛ ଥିଲା l ସେତେବେଳେ ସ୍ଥାନୀୟ ଅଞ୍ଚଳ ର କେହି ଚାଷୀ ଲିଚୁ ଚାଷ କରୁ ନଥିଲେ l ତେବେ 1985-86 ମସିହାରୁ ଏହି ଅଞ୍ଚଳରେ ଲିଚୁ ଚାଷ ଆରମ୍ଭ କରିଥିଲେ ଚାଷୀ l 1990 ମସିହାରୁ ଲିଚୁ ଉତ୍ପାଦନ ଆରମ୍ଭ ହୋଇଥିଲା l ଏହି ଅଞ୍ଚଳରେ ପ୍ରାୟ 400ରୁ ଊର୍ଦ୍ଧ୍ବ ଛୋଟ ବଡ଼ ଲିଚୁ ଚାଷୀ ଚାଷ କରନ୍ତି । ଏପରିକି ଏହି ଅଞ୍ଚଳର ଜଣେ ଭୂମିହୀନ ଲୋକର ବାଡ଼ିରେ ଗୋଟିଏ ଲିଚୁ ଗଛ ସୁନିଶ୍ଚିତ ଭାବେ ରଖିଥାଏ lକୁଚିଣ୍ଡା ବଡ଼ବାହାଲ ଗ୍ରାମର ଲିଚୁ ଚାଷୀ ଦଧିଶଙ୍କର ପଟେଲ ଏହି ଅଞ୍ଚଳର ଜଣେ ଜଣା ଶୁଣା ଲିଚୁ ଚାଷୀ । ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ଅଟନ୍ତି । 1980 ମସିହାରୁ ସେ ଲିଚୁ ଚାଷ କରି ଆସୁଛନ୍ତି । ଏହି ବର୍ଷ ଭଲ ଲିଚୁ ଉତ୍ପାଦନ ହୋଇଛି ବୋଲି ସେ କହିଛନ୍ତି l ସେ ଆହୁରି କହିଛନ୍ତି ଯେ, ଲିଚୁ ଚାଷ ପାଇଁ କୁଚିଣ୍ଡା ଅଞ୍ଚଳକୁ ଲିଚୁ କ୍ୟାପିଟାଲ ଭାବେ ଏକ ନୂତନ ପରିଚୟ ପାଇଛି l ଆମ ଅଞ୍ଚଳରେ ଅନେକ ଲୋକ ଲିଚୁ ଓ ଆମ୍ବ ଚାଷ କରି ଆସୁଛନ୍ତି । ଖରା ଦିନରେ ଦେଢ଼ ମାସରେ ଏହି ଅଞ୍ଚଳରେ ପ୍ରାୟ 2 କୋଟି ଟଙ୍କାର ଲିଚୁ କାରବାର ହୋଇଥାଏ । ତେବେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ଯୋଗୁଁ ଏହି ଚାଷ ବିଗତ ବର୍ଷ ଗୁଡିକରେ ପ୍ରଭାବିତ ହୋଇ ଆସୁଛି ବୋଲି କହିଛନ୍ତି ।ଅନ୍ୟପଟେ ଏଠାରେ ଥିବା ଗୁଦଗୁଦା ଜଳପ୍ରପାତ ଓ ଲିଚୁ ଚାଷ ଦେଖିବା ପାଇଁ ଖରା ଦିନେ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ଏହି ଅଞ୍ଚଳର ତାପମାତ୍ରା ଖରାଦିନେ ଅନ୍ୟ ଅଞ୍ଚଳ ତୁଳନାରେ ଅପେକ୍ଷାକୃତ କମ୍ ରହିଥାଏ । ଫଳରେ ପର୍ଯ୍ୟଟକଙ୍କୁ ଏହି ସ୍ଥାନ ଖୁବ୍ ଆକର୍ଷିତ କରିଥାନ୍ତି । ତେଣୁ ଏହି ଅଞ୍ଚଳରେ ପର୍ଯ୍ୟଟନର ବିକାଶ ପାଇଁ ଆହୁରି ଉନ୍ନତିକରଣର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଯୁବକ ତପନ ମହନ୍ତ କହିଛନ୍ତି । ଏହି ଅଞ୍ଚଳର ଥଣ୍ଡା ଜଳବାୟୁ ଏଠାରେ ଉତ୍କୃଷ୍ଟ ମିଠା ଲିଚୁ ଉତ୍ପାଦନ ପାଇଁ ପରିବେଶ ସୃଷ୍ଟି କରିଥାଏ । ତେଣୁ ଲିଚୁ ପାଇଁ ଆମ ଅଞ୍ଚଳର ଏକ ସ୍ୱତନ୍ତ୍ର ପରିଚୟ ରହିଛି ।ଅବସରପ୍ରାପ୍ତ ଉଦ୍ୟାନ କୃଷି ବିଜ୍ଞାନୀ ତଥା ପୂର୍ବତନ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ହିମାଂଶୁ ଶେଖର ସାହୁ କହିଛନ୍ତି, “ଏହି ଅଞ୍ଚଳରେ ଗୁଦୁଗୁଦା ଜଳ ପ୍ରପାତ ଥିବାରୁ ଏହି ଅଞ୍ଚଳରେ ପାଣିର ଅଭାବ ନାହିଁ । ଭୂତଳ ଜଳସ୍ତର ଉପରେ ରହୁଛି । ଏହା ସହ ଏହି ଅଞ୍ଚଳର ମାଟିରେ ‘mycorrhizae’ ନାମକ ଏକ ଜୀବାଣୁ ଭଲ ଭାବରେ ବଢିଥାଏ । ଯାହା ଲିଚୁ ଚାଷକୁ ସୁହାଇଥାଏ । ତେଣୁ ଏହି ଅଞ୍ଚଳରେ ଭଲ ଲିଚୁ ଚାଷ ହୋଇଥାଏ ।”
