ଦୀର୍ଘ ଦିନ ଧରି ଚାଲିଆସୁଥିବା ଆଲୋଚନାରେ ବିରାମ ଲାଗିବାକୁ ଯାଉଛି । ବିଜେଡିରେ ଯୋଗଦେବାକୁ ଯାଉଛନ୍ତି ସୁଜାତା ପାଣ୍ଡିଆନ, ଏଥିପାଇଁ କୁଆଡ଼େ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, ଆସନ୍ତାକାଲି ଶଙ୍ଖ ଭବନରେ ବସିବ ବଡ଼ ବୈଠକ । ସେହିଠିଁ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହେବାକୁ ଯାଉଛନ୍ତି ସୁଜାତା, ଏଭଳି ଚର୍ଚ୍ଚା ସେତେବେଳେ ସୃଷ୍ଟି ହେଉଛି ଯେତେବେଳେ ନବୀନ ନିବାସରେ ଦଳର ବରିଷ୍ଠ ନେତାକୁ ଭେଟିଛନ୍ତି ନବୀନ । ନବୀନ ନିବାସରେ ବରିଷ୍ଠ ନେତାଙ୍କ ସହ ସୁଜାତାଙ୍କ ବିଜେଡି ଯୋଗଦାନ ବିଷୟରେ ଆଲୋଚନା ହୋଇଛି ବୋଲି କୁହାଯାଉଛି । ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା, ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଜେଡିରେ ସୁଜାତା ଏଣ୍ଟ୍ରି କରିବା ନେଇ ବୈଠକ ଚାଲିଥିଲା ବୋଲି କୁହାଯାଉଛି।
ସେପଟେ ସୁଜାତାଙ୍କ ବିଜେଡି ଏଣ୍ଟ୍ରି ଚର୍ଚ୍ଚା ଭିତରେ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ଚହଳ ସୃଷ୍ଟି ହୋଇଛି। ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡି ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା, ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି। ଟାଇଟେନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି।ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ,ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ।ନେତାମାନଙ୍କୁ ଶଙ୍ଖ ଭବନ ଡାକି ତାମିଲ୍ ବୋହୂକୁ ରେଡ୍ କାର୍ପେଟ୍ ସ୍ବାଗତ କରିବା ପାଇଁ ଫରମାନ୍ ଜାରି ହୋଇଛି। କିଛି ଏଭଳି ସୋସିଆଲ୍ ମିଡିଆରେ ଲେଖି ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ନିଶାନା କରିଛନ୍ତି ଶ୍ରୀମୟୀ।
ତେବେ ସୁଜାତାଙ୍କ ବିଜେଡିରେ ଏଣ୍ଟ୍ରୀ ପରେ ଦଳର ଭବିଷ୍ୟତ କଣ ହେବ ତାକୁ ନେଇ ଉଠିଛି ପ୍ରଶ୍ନ । ସୁଜାତାଙ୍କ ଏଣ୍ଟ୍ରୀକୁ ଗ୍ରହଣ କରିବେ ତ ସବୁ ବର୍ଗର ନେତା? କାରଣ ପାଣ୍ଡିଆନଙ୍କୁ ବିରୋଧ କରି ଅନେକ ନେତା ଏହାରି ଭିତରେ ଦଳ ଛାଡ଼ିସାରିଲେଣି । ଏବେବି ଅନେକ ନେତା ଅଛନ୍ତି ଯେଉଁମାନେ ଉପରେ ନ ହେଲେବି ଭିତରେ ପାଣ୍ଡିଆନଙ୍କୁ ସିଧାସଳଖ ବିରୋଧ କରୁଛନ୍ତି । ଏଭଳି ସ୍ଥିତିରେ ସୁଜାତାଙ୍କ ଯୋଗଦାନକୁ ସେମାନେ କିଭଳି ଗ୍ରହଣ କରୁଛନ୍ତି ଯାହା ଦେଖିବାର ଅଛି ।
