ବୃଦ୍ଧାଶ୍ରମରେ ବାପାଙ୍କ ମୃତ୍ୟୁ, ଭିଡିଓ କଲରେ ଶେଷକୃତ୍ୟ ଦେଖିଲେ ଝିଅ By Swadhikar News Last updated Aug 6, 2026 ଚିତାର ନିଆଁ ଜଳୁଛି… ଆଉ ସେହି ନିଆଁ ସହିତ ଜଳିଯାଉଛି ଜଣେ ବାପାଙ୍କ ଅପେକ୍ଷା । ବୋଧେ ଶେଷ ଥର ପାଇଁ ନିଜ ଝିଅମାନଙ୍କ ମୁହଁ ଦେଖିବାକୁ ଚାହୁଁଥିଲେ… କିନ୍ତୁ ସେ ଇଚ୍ଛା ଅପୂର୍ଣ୍ଣ ହୋଇ ରହିଗଲା । ଯେଉଁ ବାପା ନିଜ ଝିଅମାନଙ୍କ ହସ ପାଇଁ ସାରା ଜୀବନ ନିଜର ସବୁ ସୁଖକୁ ତ୍ୟାଗ କରିଥିଲେ… ଯେଉଁ ହାତରେ କୋଳେଇ କାଖେଇ ବଡ଼ କରିଥିଲେ ସେହି ବାପାଙ୍କ ଅନ୍ତିମ ସଂସ୍କାର ହେଉଛି ଅନ୍ୟ ଲୋକଙ୍କ ହାତରେ । କାରଣ ରକ୍ତର ସମ୍ପର୍କ ଝିଅମାନଙ୍କ ପାଖରେ ସମୟ ନଥିଲା। ବାପା , ପରିବାର ପାଇଁ ଅହରଷ ସଂଘର୍ଷ କରୁଥିବା ଜଣେ ମଣିଷ , ୩ଝିଅ ଙ୍କୁ ପାଳି ପୋଷି ବଡ଼ କରିବା ପାଇଁ ନିଜ ଜୀବନ କୁ ବାଜି ଲଗାଇଦେଉଥିବା ସେହି ବାପା ଙ୍କ ଅନ୍ତିମ ଶବ ସଂସ୍କାର କୁ ତଥା ତାଙ୍କ ଶେଷକୃତ୍ୟରେ ଯୋଗଦାନ ଦେଇନଥିଲେ ସେହି ୩ ଝିଅ । ଝିଅମାନଙ୍କୁ ପଢ଼ାଇ ନିଜ ଗୋଡ଼ରେ ଛିଡ଼ା କରାଇଥିଲେ ଜଣେ ବାପା । କିନ୍ତୁ ଜୀବନର ଶେଷ ଯାତ୍ରା ରେ ସେହି ବାପାଙ୍କୁ ମିଳିଲା ନଃିସଙ୍ଗ ବିଦାୟ । ମାତ୍ର ୫୧୦୦ ଟଙ୍କା ଅନଲାଇନରେ ପଠାଇ କହିଦେଲେ- \”ଶେଷକୃତ୍ୟ ଭଲରେ କରିଦିଅନ୍ତୁ ।\”ହରିୟାଣାର ସୋନିପତିରୁ ଆସିଥିବା ଏହି ହୃଦୟ ବିଦାରକ ଘଟଣା ଯାହା ସମସ୍ତଙ୍କ ଆଖିରେ ଲୁହ ଭରିଦବ । ଏହି ଘଟଣା କେବଳ ଗୋଟିଏ ପରିବାରର କାହାଣି ନୁହେଁ ବରଂ ବଦଳୁଥିବା ପାରିବାରିକ ସମ୍ପର୍କର ହୃଦୟବିଦାରକ ଚିତ୍ର । ମହାରାଷ୍ଟ୍ରର ମୂଳ ବାସିନ୍ଦା ଶିବଚରଣ ରାମରତନ ଗୁପ୍ତା ଜଣେ ପ୍ରତିଷ୍ଠିତ ବସ୍ତ୍ର ବ୍ୟବସାୟୀ ଥିଲେ । ପୁଅ ଟିଏ ନଥିବାରୁ ସେ ୩ ଝିଅଙ୍କୁ ଉଚ୍ଚଶିକ୍ଷା ଦେଇ ସ୍ୱାବଲମ୍ବୀ କରିଥିଲେ , ତାଙ୍କର ଦୁଇ ଝିଅ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ପତ୍ନୀ ଙ୍କ ମୃତ୍ୟୂ ପରେ ସେ ପ୍ରାୟ ଦେଢ଼ ବର୍ଷ ଧରି ସୋନିପତିର ଏକ ବୃଦ୍ଧାଶ୍ରମରେ ରହୁଥିଲେ । ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ଶିବଚରଣଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ସମ୍ପର୍କରେ ପ୍ରାୟ ୨୦ ଦିନ ପୂର୍ବରୁ ତିନି ଝିଅଙ୍କୁ ସୂଚନା ଦିଆଯାଇଥିଲା। କିନ୍ତୁ କେହି ଆସିନଥିଲେ। ମୃତ୍ୟୁ ପରେ ମଧ୍ୟ ଆଶ୍ରମ ପକ୍ଷରୁ ମୃତଦେହକୁ ସଂରକ୍ଷଣ କରି ରଖିବା ପ୍ରସ୍ତାବ ଦିଆଯାଇଥିଲେ ବି, ଝିଅମାନେ ବ୍ୟସ୍ତତା ଓ ଦୂରତାର କାରଣ ଦର୍ଶାଇ ଆସିବାକୁ ଅସମର୍ଥତା ପ୍ରକାଶ କରିଥିଲେ । ବଡ଼ ଝିଅ, ଯିଏ ନେପାଳରେ ଶିକ୍ଷୟିତ୍ରୀ, ସେ ୫୧୦୦ ଟଙ୍କା ଅନଲାଇନରେ ପଠାଇ ଶେଷକୃତ୍ୟ ଯଥାବିଧି କରିବାକୁ କହିଥିଲେ। ତିନି ଝିଅ ମୋବାଇଲ୍ ଭିଡିଓ କଲ୍ରେ ବାପାଙ୍କ ଶେଷକୃତ୍ୟ ଦେଖିଥିଲେ ଏବଂ ପରେ ଭିଡିଓ ରେକର୍ଡିଂ ମଧ୍ୟ ପଠାଇବାକୁ ଅନୁରୋଧ କରିଥିଲେ। ପ୍ରଥମେ ଅସ୍ଥି ସଂରକ୍ଷଣ କରିବାକୁ କହିଥିଲେ, କିନ୍ତୁ ପରେ ଅସ୍ଥି ବିସର୍ଜନ ମଧ୍ୟ ବୃଦ୍ଧାଶ୍ରମ କର୍ତ୍ତୃପକ୍ଷଙ୍କୁ କରିବାକୁ ଅନୁରୋଧ କରିଥିଲେ । ଏହି ସମୟରେ ବୃଦ୍ଧାଶ୍ରମର କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ଶିବଚରଣ ଗୁପ୍ତାଙ୍କର ସମସ୍ତ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କ ମୃତ୍ୟୁ ପରେ ପରିବାରର ସମ୍ମତିରେ ଚକ୍ଷୁଦାନ ମଧ୍ୟ କରାଯାଇଥିଲା । ଏହି ଘଟଣା ସମାଜରେ ବୃଦ୍ଧମାନଙ୍କ ପ୍ରତି ବଦଳୁଥିବା ଦାୟିତ୍ୱବୋଧ, ପାରିବାରିକ ମୂଲ୍ୟବୋଧ ଓ ସମ୍ପର୍କର ଦୂରତାକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି । latest odia newsswadhikarswadhikar news Share