ଶୁକ୍ରବାର ସନ୍ଧ୍ୟା ୫ଟା ସୁଦ୍ଧା ଆସିବ ବନ୍ୟା କ୍ଷୟକ୍ଷତିର ଚୂଡ଼ାନ୍ତ ରିପୋର୍ଟ। ରିପୋର୍ଟ ଆସିବା ପରେ ସରକାରୀ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ବନ୍ୟା ପ୍ରଭାବିତ ୨୨ଟି ଜିଲ୍ଲା ପାଇଁ ସରକାର ୧୧୦ କୋଟି ଟଙ୍କାର ସହାୟତା ମଞ୍ଜୁର କରିଛନ୍ତି। ଏହି ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ଭାବେ କ୍ଷତିଗ୍ରସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ।
ସର୍ବାଧିକ କ୍ଷୟକ୍ଷତି ହୋଇଥିବା ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାକୁ ଅଧିକ ସହାୟତା ଦିଆଯାଇଛି। ବାଲେଶ୍ୱରକୁ ୨୨.୦୩ କୋଟି, ଯାଜପୁରକୁ ୨୦.୨୦ କୋଟି ଏବଂ ଭଦ୍ରକକୁ ୨୦.୧୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହା ବ୍ୟତୀତ ଜଗତସିଂହପୁରକୁ ୮.୧୮ କୋଟି, କେନ୍ଦୁଝରକୁ ୬.୧୧ କୋଟି, ସମ୍ବଲପୁରକୁ ୫.୫୬ କୋଟି, କେନ୍ଦ୍ରାପଡ଼ାକୁ ୫.୦୪ କୋଟି, ମୟୂରଭଞ୍ଜକୁ ୫.୦୨ କୋଟି, ଖୋର୍ଦ୍ଧାକୁ ୨.୦୬ କୋଟି, ସୁବର୍ଣ୍ଣପୁରକୁ ୨.୩୧ କୋଟି ଏବଂ ଅନ୍ୟାନ୍ୟ ପ୍ରଭାବିତ ଜିଲ୍ଲାକୁ ମଧ୍ୟ ଆବଶ୍ୟକତା ଅନୁଯାୟୀ ସହାୟତା ରାଶି ବଣ୍ଟନ କରାଯାଇଛି।
ମନ୍ତ୍ରୀଙ୍କ କହିବା ଅନୁଯାୟୀ, କେତେକ ଜିଲ୍ଲାରେ ଏବେ ମଧ୍ୟ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ ଏବଂ ବିଭିନ୍ନ ନଦୀର ଜଳସ୍ତର ଉଚ୍ଚ ରହିଛି। ଏହି ବର୍ଷ ରାଜ୍ୟରେ ସ୍ୱାଭାବିକ ତୁଳନାରେ ୬୫ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଥିବାରୁ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ଚୂଡ଼ାନ୍ତ କ୍ଷୟକ୍ଷତି ରିପୋର୍ଟ ଆସିବା ପରେ ସରକାର ପରବର୍ତ୍ତୀ ରିଲିଫ ଓ ପୁନର୍ବାସ ପଦକ୍ଷେପ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।
