Odia News Portal

ପାର୍କିଂ ବେଳେ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଶ୍ରୀନଗର ବିମାନବନ୍ଦରରେ ବଡ଼ ଅଘଟଣରୁ ବର୍ତ୍ତିଲେ ବିମାନ ଯାତ୍ରୀ। ଶୁକ୍ରବାର ସକାଳେ ପାର୍କିଂ କରିବା ସମୟରେ ଇଣ୍ଡିଗୋର ଏକ ବିମାନ ବିଜୁଆଲ୍ ଡକିଂ ଗାଇଡାନ୍ସ ସିଷ୍ଟମ୍‌ (VDGS)ର ଖୁଣ୍ଟ ସହ ଧକ୍କା ହୋଇଥିଲା। ତେବେ ସୌଭାଗ୍ୟବଶତଃ ବିମାନରେ ଥିବା ସମସ୍ତ ଯାତ୍ରୀ ଓ କ୍ରିୟୁ ସଦସ୍ୟ ସୁରକ୍ଷିତ ଅଛନ୍ତି।ସୂଚନା ଅନୁସାରେ, ନବୀ ମୁମ୍ବାଇରୁ ଶ୍ରୀନଗର ଆସୁଥିବା ଇଣ୍ଡିଗୋର ଫ୍ଲାଇଟ୍‌ ‘6E225’ ଶୁକ୍ରବାର ସକାଳ ପ୍ରାୟ ୯ଟା ୦୨ ମିନିଟ୍‌ରେ ଶ୍ରୀନଗର ବିମାନବନ୍ଦରର ବେ’ ନମ୍ବର ୦୬ରେ ପାର୍କିଂ କରୁଥିଲା। ଏହି ସମୟରେ ବିମାନଟି VDGS ଖୁଣ୍ଟରେ ଧକ୍କା ହୋଇଥିଲା।

ଘଟଣା ପରେ ତୁରନ୍ତ ସମସ୍ତ ଯାତ୍ରୀଙ୍କୁ ମାନୁଆଲ୍‌ ସିଡ଼ି ସାହାଯ୍ୟରେ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇ ଦିଆଯାଇଥିଲା। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାରେ କୌଣସି ଯାତ୍ରୀ କିମ୍ବା କ୍ରିୟୁ ସଦସ୍ୟ ଆହତ ହୋଇନାହାନ୍ତି। ଘଟଣାର ପ୍ରକୃତ କାରଣ କ’ଣ, ସେନେଇ ସମ୍ପୃକ୍ତ କର୍ତ୍ତୃପକ୍ଷ ତଦନ୍ତ କରିବେ। ତଦନ୍ତ ସମ୍ପୂର୍ଣ୍ଣ ହେବା ପରେ ହିଁ ଏହି ଅଘଟଣ ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଇଣ୍ଡିଗୋ ପକ୍ଷରୁ କୁହାଯାଇଛି।