Odia News Portal

ନୂଆଖାଇ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ସାରା ପଶ୍ଚିମ ଓଡ଼ିଶା। ସୁନ୍ଦରଗଡ଼ରୁ ସମ୍ବଲପୁର, ବଲାଙ୍ଗିରରୁ ବରଗଡ଼, କଳାହାଣ୍ଡିରୁ ଦେବଗଡ଼—ସବୁଠି ଦେଖିବାକୁ ମିଳୁଛି ନୂଆଖାଇର ରଙ୍ଗ ଓ ଉତ୍ସାହ। ଘଣ୍ଟଘଣ୍ଟା, ପଞ୍ଚବାଦ୍ୟ ଓ ପାରମ୍ପରିକ ଲୋକବାଦ୍ୟରେ କମ୍ପୁଛି ଗାଁଠୁ ସହର। ଘରେ ଘରେ ପିଠାପଣାର ପ୍ରସ୍ତୁତି, ନୂଆ ଧାନର ମହକ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଛି। ନୂଆଖାଇର ପରମ୍ପରା ଅନୁଯାୟୀ, ସକାଳୁ ଇଷ୍ଟଦେବୀଙ୍କ ନିକଟରେ ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ ଭୋଗ ଲାଗି କରାଯାଏ। ପୂଜାବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି।

ଏହାପରେ ପରିବାରର ସାନମାନେ ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନିଅନ୍ତି। ନୂଆ ଖାଇବା ପରେ ଆରମ୍ଭ ହୁଏ ଭେଟଘାଟ। ପରିବାର, ବନ୍ଧୁବାନ୍ଧବ ଓ ଆତ୍ମୀୟସ୍ୱଜନଙ୍କ ସହ ମିଶି ନୂଆଖାଇର ଖୁସି ବାଣ୍ଟି ନେଉଛନ୍ତି ଲୋକେ। କେବଳ ପଶ୍ଚିମ ଓଡ଼ିଶା ନୁହେଁ, ରାଜ୍ୟର ବିଭିନ୍ନ ପ୍ରାନ୍ତରେ ମଧ୍ୟ ନୂଆଖାଇକୁ ନେଇ ଦେଖାଦେଇଛି ଉତ୍ସାହ। ଏହି ପବିତ୍ର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରାଜ୍ୟବାସୀଙ୍କୁ ନୂଆଖାଇର ଶୁଭେଚ୍ଛା ଜଣାଇଛନ୍ତି। ଭାଇଚାରା, ପରମ୍ପରା ଓ ଏକତାର ପର୍ବ ନୂଆଖାଇ ଆଣିଦେଉ ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ଆନନ୍ଦ—ଏହାହିଁ ରହିଛି ସମସ୍ତଙ୍କ ଶୁଭକାମନା।