ସମ୍ବଲପୁରରେ ନୂଆଁଖାଇର ମହାପର୍ବ। ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନରେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ। ନୂଆଁଖାଇ ପାଇଁ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ପୀଠରେ ହୋଇଥିଲା ସ୍ୱତନ୍ତ୍ର ପ୍ରସ୍ତୁତି। ମଙ୍ଗଳବାର ସକାଳ ୯ଟା ୪୦ ମିନିଟ୍ରୁ ୯ଟା ୫୪ ମିନିଟ୍ ମଧ୍ୟରେ ନିର୍ଦ୍ଧାରିତ ଲଗ୍ନରେ ମା’ଙ୍କ ନିକଟରେ ନୂଆଅନ୍ନ ଲାଗି ହୋଇଥିଲା। ଘଣ୍ଟ, ଘଣ୍ଟା ଓ ବାଦ୍ୟଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ମନ୍ଦିର ପରିସର। ନୂଆ ଚାଉଳ ସହ କ୍ଷୀରି, ପିଠା ଓ ସାରୁଶାଗ ଭଳି ବିଭିନ୍ନ ପ୍ରକାର ଭୋଗ ମା’ଙ୍କ ନିକଟରେ ଅର୍ପଣ କରାଯାଇଥିଲା। ନୂଆଁଖାଇ ପାଇଁ ପ୍ରଥମେ ତିନି ପୂଜକଙ୍କ ଘରୁ ଭୋଗ ମନ୍ଦିରକୁ ଆସିଥିଲା। ପରେ ବିଧିବିଧାନ ଅନୁସାରେ ପୂଜାର୍ଚ୍ଚନା କରାଯାଇ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା। ମା’ଙ୍କ ନିକଟରେ ନବାନ୍ନ ଲାଗି ପରେ ଏବେ ପଶ୍ଚିମ ଓଡ଼ିଶାର ପ୍ରତ୍ୟେକ ଘରେ ଘରେ ପାଳନ ହେବ ନୂଆଁଖାଇ। ନିଜ ନିଜ ଘରେ କୁଳଦେବଦେବୀ ଓ ଇଷ୍ଟଦେବତାଙ୍କୁ ନୂଆଭୋଗ ଅର୍ପଣ କରିବା ପରେ ପରିବାରର ସମସ୍ତେ ନୂଆ ଖାଇବେ।
ନିର୍ଦ୍ଧାରିତ ଲଗ୍ନରେ କ୍ଷେତ ପୂଜା, ଗୁରସ ରୁକା ଭଳି ପରମ୍ପରା ପାଳନ ପରେ ଇଷ୍ଟଦେବାଦେବୀ ଓ ପିତୃପୁରୁଷଙ୍କୁ ନବାନ୍ନ ଅର୍ପଣ କରାଯିବ। ଏହାପରେ ପରିବାରର ବରିଷ୍ଠ ସଦସ୍ୟ ଅନ୍ୟମାନଙ୍କୁ ନବାନ୍ନ ଭୋଗ ପ୍ରଦାନ କରିବେ। ନୂଆଁଖାଇକୁ ନେଇ ଘରେ ଘରେ ଚାଲିଛି ପିଠାପଣାର ପ୍ରସ୍ତୁତି। ନୂଆ ପୋଷାକ ପିନ୍ଧି ନୂଆଁଖାଇ ପାଳନ କରିବାର ପରମ୍ପରା ଥିବାରୁ ଗତକାଲି ବିଭିନ୍ନ ପୋଷାକ ଓ ଲୁଗା ଦୋକାନରେ ମଧ୍ୟ ଦେଖିବାକୁ ମିଳିଥିଲା ପ୍ରବଳ ଭିଡ଼। ନୂଆଁଖାଇ ପର୍ବ ସରିବା ପରେ ସନ୍ଧ୍ୟାରୁ ଆରମ୍ଭ ହେବ ନୂଆଁଖାଇ ଭେଟଘାଟ ଓ ଜୁହାର ପରମ୍ପରା। ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେବା ସହ ପରସ୍ପରକୁ ଜୁହାର ଜଣାଇବେ।
ସମୟ ସହ ନୂଆଁଖାଇ ଭେଟଘାଟର ରୂପ ବଦଳିଥିଲେ ମଧ୍ୟ ଏହାର ପରମ୍ପରା ଓ ଭାଇଚାରା ଆଜି ବି ଅତୁଟ। ଗାଁଠୁ ସହର, ଦେଶଠୁ ବିଦେଶ—ସବୁଠି ନୂଆଁଖାଇ ଭେଟଘାଟର ଆୟୋଜନ ହେଉଛି।ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସମ୍ବଲପୁରୀ ଭାଷା, ଗୀତ, ନୃତ୍ୟ ଓ କଳା-ସଂସ୍କୃତିର ଝଲକ ଦର୍ଶକଙ୍କୁ କରୁଛି ମନ୍ତ୍ରମୁଗ୍ଧ। ନୂଆ ଧାନର ସୁଗନ୍ଧ, ଭାଇଚାରାର ବନ୍ଧନ ଓ ପରମ୍ପରାର ମହକ—ଏହି ତିନିକୁ ନେଇ ପଶ୍ଚିମ ଓଡ଼ିଶା ପାଳୁଛି ତା’ର ମହାପର୍ବ ନୂଆଁଖାଇ।
