Odia News Portal

ଆଜି ଅବପାତ ରୂପ ନେବ ଲଘୁଚାପ

ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ ରହିଛି। ଏହା ଅବପାତର ରୂପ ନେଇ ପରବର୍ତ୍ତୀ ସମୟରେ ଗଭୀର ଅବପାତରେ ପରିଣତ ହୋଇପାରେ। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଯଦିଓ ପାଣିପାଗ ବିଭାଗ ଗଭୀର ଅବପାତ ପରବର୍ତ୍ତୀ ସମୟରେ ବାତ୍ୟାର ରୂପ ନେବା ନେଇ କୌଣସି ସ୍ପଷ୍ଟ ଆକଳନ କରିନାହିଁ ତଥାପି ସମ୍ଭାବ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସମ୍ଭାବ୍ୟ ବାତ୍ୟାର ନାଁ ‘ଅର୍ଣ୍ଣବ’ ରଖାଯାଇଛି। ଏହି ନାଁଟି ପଡ଼ୋଶୀ ‘ବାଂଲାଦେଶ’ ଦେଇଛି। ଉତ୍ତର ଭାରତ ମହାସାଗର, ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟାର ନାମକରଣ ବିଶ୍ୱ ପାଣିପାଗ ସଂଗଠନ ଏବଂ ଇସ୍କାପ୍ ଅଧୀନରେ ଥିବା ଭାରତ, ବାଂଲାଦେଶ, ଇରାନ, ମାଳଦ୍ୱୀପ, ମିଆଁମାର, ଓମାନ, ପାକିସ୍ତାନ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ଥାଇଲାଣ୍ଡ, ୟୁଏଇ ଓ ୟେମେନ୍ ଭଳି ୧୩ଟି ଦେଶ ମିଳିତ ଭାବେ ବାଛିଥାନ୍ତି।
ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଆଗକୁ ବଢ଼ୁଛି। ୨୧ରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖିବା ସହିତ ଅଧିକ ଘନୀଭୂତ ହୋଇ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ରୂପ ନେବାର ସମ୍ଭାବନା ରହିଛି। ୨୨ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ ରୂପ ନେଇପାରେ। ୨୩ରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିପଥ ବଜାୟ ରଖି ପଶ୍ଚିମ-କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଆସିବ। ଗଭୀର ଅବପାତ ଆହୁରି ଅଧିକ ଘନୀଭୂତ ହେବ କି ନାହିଁ ଏବଂ କେଉଁ ଜାଗାରେ ସ୍ଥଳଭାଗ ଅତିକ୍ରମ କରିବ ସେନେଇ ପାଣିପାଗ ବିଭାଗ କିଛି ସ୍ପଷ୍ଟ କରିନାହିଁ। ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।