Odia News Portal

ବୁଡ଼ିଗଲେ ବାପା ପୁଅ

ଅନୁଗୁଳ: ପୋଖରୀରେ ଗାଧୋଇବା ବେଳେ ପାଣିରେ ବୁଡ଼ି ୪ ବର୍ଷର ଶିଶୁପୁତ୍ର ସମେତ ବାପା ମୃତ । ପୋଖରୀରେ ଗାଧୋଇବା ସମୟରେ ପାଣିରେ ବୁଡ଼ି ଯିବାରୁ ୪ ବର୍ଷର ଶିଶୁପୁତ୍ର ସମେତ ବାପାର ମୃତ୍ୟୁ ହୋଇଛି। ଅନୁଗୁଳ ଜିଲ୍ଳା ବଅଁରପାଳ ଥାନା ଅନ୍ତର୍ଗତ ମହୀଧରପୁର ଫାଣ୍ଡି ଅନ୍ତର୍ଗତ କଇଁଛବାହାଳ ଗ୍ରାମରେ ଆଜି ଅପରାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକମାନେ ହେଲେ କ୍ଷୀରୋଦ ଜେନା (୩୬) ଓ ତାଙ୍କ ପୁଅ ରାକେଶ ଜେନା (୪)। ସୂଚନା ଅନୁସାରେ କଇଁଛବାହାଳ ଗ୍ରାମର କ୍ଷୀରୋଦ ଜେନା ଆଜି ଅପରାହ୍ନ ୧ଟା ସମୟରେ ନିଜର ୪ ବର୍ଷର ଶିଶୁପୁତ୍ର ରାକେଶକୁ ସାଥୀରେ ନେଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ନୂଆ କରି ଖୋଳା ଯାଇଥିବା ପୋଖରୀରେ ବାପା ଓ ପୁଅ ଉଭୟ ଗାଧୋଇବା ବେଳେ ମାଟିରେ ଗୋଡ଼ ପୋତି ହୋଇଯାଇଥିଲା।

ଫଳରେ ସେମାନେ ପାଣିରେ ବୁଡ଼ି ଯାଇଥିଲେ। ପାଖରେ ଥିବା ଲୋକମାନେ ବାପ-ପୁଅଙ୍କୁ ତୁରନ୍ତ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଉଭୟ ବାପ-ପୁଅଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ବାପ-ପୁଅଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖା ଯାଇଛି । କ୍ଷୀରୋଦ ଜଣେ ଦିନ ମଜୁରିଆ ଶ୍ରମିକ ଭାବେ ଗ୍ରାମରେ କାର୍ୟ୍ୟ କରନ୍ତି । ଉଭୟ ବାପ-ପୁଅଙ୍କର ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।