ଗତ କାଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଦିଲ୍ଲୀ ମଦ ଦୁର୍ନୀତିରେ ଜଡ଼ିତ ଥିବା ‘ୱାଇଏସ୍ଆର୍ସିପି’ ସାଂସଦ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କ ପୁତ୍ର ମଙ୍ଗୁଟା ରାଘବଙ୍କୁ ଗିରଫ କରିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଜାତୀୟ ରାଜଧାନୀରେ ମଦ ବ୍ୟବସାୟ ସଂକ୍ରାନ୍ତରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡୀଙ୍କୁ ଭେଟିଥିଲେ ବୋଲି ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ମଧ୍ୟ ଉଲ୍ଲେଖ କରିଛି।
ସେପ୍ଟେମ୍ବର ମାସରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ଚେନ୍ନାଇର ଟି. ନଗରସ୍ଥିତ ଗୋଟାଏ ଅଡିଟ୍ ଫାର୍ମରେ ଚଢ଼ାଉ କରିଥିଲା। ଉକ୍ତ ଫାର୍ମ ‘ୱାଇଏସ୍ଆର୍ସିପି’ର ସାଂସଦ ଶ୍ରୀନିବାସୁଲୁ ରେଡ୍ଡୀଙ୍କ ସହିତ ସମ୍ପୃକ୍ତ ଥିବା କଥା ସନ୍ଦେହ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ‘କେସିଆର୍’ଙ୍କ କନ୍ୟା କେ. କବିତାଙ୍କ ପୂର୍ବତନ ଅଡିଟର୍ ବୁଟ୍ଚିବାବୁ ଗୋରାନ୍ତ୍ଲାଙ୍କୁ ‘ସିବିଆଇ’ ଗିରଫ କରିବାର କେତେ ଦିନ ପରେ ଆଜି ଏହି ମାମାଲାରେ ମଙ୍ଗୁଟା ରାଘବଙ୍କୁ ଗିରଫ କରାଯାଇଛି। ବୁଟ୍ଚିବାବୁ ଗୋରାନ୍ତ୍ଲା ହେଉଛନ୍ତି ତେଲେଙ୍ଗାନାରେ ବାସ କରୁଥିବା ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ୍। ସେ କଥା ଏଡ଼ାଇବା ସହିତ ତଦନ୍ତକାରୀଙ୍କୁ ଅସହଯୋଗ କରୁଥିଲେ ବୋଲି ‘ସିବିଆଇ’ କହିଥିଲା।
ଏହା ପୂର୍ବରୁ ଏହି ମାମଲାରେ ଡିସେମ୍ବର ୧୨ ତାରିଖ ଦିନ ‘ସିବିଆଇ’ ଟିମ୍ ହାଇଦ୍ରାବାଦରେ କେ. କବିତାଙ୍କୁ ୭ ଘଣ୍ଟା ଜେରା କରିଥିଲା। ମଦ ନୀତି ମାମଲାରେ ହୋଇଥିବା ଲାଞ୍ଚ କାରବାରରେ ‘ସାଉଥ୍ କାର୍ଟେଲ୍’ର ଅଂଶୀଦାର ଥିବା କେ. କବିତା ଉପକୃତ ହୋଇଥିଲେ ବୋଲି ‘ସିବିଆଇ’ କହିଥିଲା।
ଏବେ ସୁଦ୍ଧା ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଦୁଇଟି ଚାର୍ଜସିଟ୍ ଦାଖଲ କରି ସମୁଦାୟ ୯ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଏହି ମାମଲାରେ ‘ସିବିଆଇ’ ଦାଏର କରିଥିବା ‘ଏଫ୍ଆଇଆର୍’ରୁ ଆର୍ଥିକ ଦୁର୍ନୀତିର ଖିଅ ମିଳିଥିଲା।
‘ସିବିଆଇ’ ଏବଂ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ଙ୍କ ଅଭିଯୋଗ ପତ୍ରରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସରକାରଙ୍କ ଅବକାରୀ ବିଭାଗର ଅଧିକାରୀମାନଙ୍କୁ ଏହି ମାମଲାର ଅଭିଯୁକ୍ତ ବୋଲି ଦର୍ଶାଇଛି।
Sign in
Sign in
Recover your password.
A password will be e-mailed to you.
