Odia News Portal

ହିନ୍ଦୁ ରୀତିନୀତିରେ ଆତ୍କୃଷ୍ଟ ଫ୍ରାନ୍ସ ଦମ୍ପତି, ଯୋଦ୍ଧପୁରରେ କଲେ ପୁନଶ୍ଚ ବିବାହ

ଫ୍ରାନ୍ସର ଏକ ଦମ୍ପତି ହିନ୍ଦୁ ରୀତିନୀତିରେ ପ୍ରଭାବିତ ହୋଇ ଯୋଦ୍ଧପୁରଠାରେ ପୁନଶ୍ଚ ବିବାହ କରିଛନ୍ତି। ଏହି ବିବାହ ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦମ୍ପତି ଭିନ୍ନ ଦେଶର ହୋଇଥିଲେ ବି ସେମାନେ ଅଗ୍ନିକୁ ସାକ୍ଷୀ ମାନି ହିନ୍ଦୁ ଧର୍ମୀୟଙ୍କ ବିବାହ ଶୈଳୀରେ ପୁଣି ଥରେ ପରସ୍ପରଙ୍କୁ ବିବାହ କରିଛନ୍ତି। ତେବେ ଏହି ବିବାହରେ କନ୍ୟା ଦାନ କରିଛନ୍ତି ଟୁରିଷ୍ଟ୍‌ ଗାଇଡ୍‌ ଭୁଜପାଲ୍‌ ସିଂହ ଏବଂ ତାଙ୍କ ପତ୍ନୀ।

ଫ୍ରାନ୍ସର ବାସିନ୍ଦା ଏରିକ୍‌ ଏବଂ ଗ୍ରେବିୟଲ୍‌ ରାଜସ୍ଥାନର ଟୁରିଷ୍ଟ୍‌ ଗାଇଡ୍‌ଙ୍କ ସଂପର୍କୀୟ। ଏହି ଦମ୍ପତିଙ୍କ ବୟସ ପ୍ରାୟ ୬୦ ପାଖାପାଖି। ସେମାନଙ୍କର ପିଲା ବି ଅଛନ୍ତି। ଏହି ଦମ୍ପତିି ଏଥରକୁ ମିଶାଇ ସମୁଦାୟ ୩ ଥର ଭାରତ ଭ୍ରମଣରେ ଆସି ସାରିଲେଣି। କାଶୀ ବିଶ୍ବନାଥ ଏବଂ ଅନ୍ୟ ଧାର୍ମିକସ୍ଥଳକୁ ଦର୍ଶନ କରିବା ପରେ ସେମାନଙ୍କର ହିନ୍ଦୁ ଧର୍ମ ପ୍ରତି ଭଲପାଇବା ବୃଦ୍ଧି ପାଇଛି। ହିନ୍ଦୁ ଧର୍ମୀମାନଙ୍କ ବିବାହ ତାଙ୍କୁ ଖୁବ୍ ପସନ୍ଦ ଆସିବାରୁ ସେମାନେ ଏହି ଧର୍ମରେ ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜାଣିବାକୁ ମିଳିଛି ଯେ ଟୁରିଷ୍ଟ୍‌ ଗାଇଡ୍‌ ଭୁଜପାଲ୍‌ ସିଂହ ତାଙ୍କ ଶଳା ବିବାହରେ ଏହି ଫ୍ରାନ୍ସ ଦମ୍ପତିଙ୍କୁ ନିମନ୍ତ୍ରଣ କରିଥିଲେ। ଦମ୍ପତି ବିବାହରେ ଉପସ୍ଥିତ ହେବାର ଦୁଇ ଦିନ ପରେ ନି‌ଜେ ବିବାହ କରିବାର ନିଷ୍ପତ୍ତି ନେଲେ। ତାପରେ ସେମାନେ ରାଜପୁତମାନଙ୍କ ପାରମ୍ପରିକ ବିବାହ ‌ଶୈଳୀରେ ପୁଣି ଥ‌ରେ ବିବାହ କରିଛନ୍ତି। ତେବେ ଭୁଜପାଲ୍‌ ସିଂହଙ୍କ ପରିବାର ଲୋକ ହିଁ ଏହି ବିବାହରେ ବରପକ୍ଷ ଓ କନ୍ୟାପକ୍ଷ ଲୋକ ବନିଥିଲେ।