Odia News Portal

ଜେଲରେ ରହିବାରେ ମୋର କିଛି ଯାଏ ଆସେ ନାହିଁ : ସିସୋଦିଆ

କିଛି ମାସ ଜେଲ୍‌ରେ ରହିବାକୁ ପଡ଼ିଲେ ତାଙ୍କର କିଛି ଯାଏଆସେ ନାହିଁ ବୋଲି ଆଜି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ତଥା ‘ଆମ୍‌ ଆଦ୍‌ମୀ ପାର୍ଟି’ର ନେତା ମନୀଷ ସିସୋଦିଆ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜି ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତି ପ୍ରସଙ୍ଗରେ ଜେରା କରିବା ଲାଗି ‘ସିବିଆଇ’ ମନୀଷ ସିସୋଦିଆଙ୍କୁ ଡକାଇଛି। ଏ ବିଷୟରେ ଟୁଇଟ୍‌ କରି ସିସୋଦିଆ ଲେଖିଛନ୍ତି ଯେ, ଆଜି ପୁଣି ଜେରା ପାଇଁ ସେ ‘ସିବିଆଇ’ କାର୍ଯ୍ୟାଳୟକୁ ଯିବେ।

ସେ ଲେଖିଛନ୍ତି: ଆଜି ପୁଣି ‘ସିବିଆଇ’କୁ ଯିବି। ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି। ମୋ ପ୍ରତି ଲକ୍ଷ ଲକ୍ଷ ପିଲାଙ୍କ ଶ୍ରଦ୍ଧା ଓ କୋଟି କୋଟି ଦେଶବାସୀଙ୍କ ଆଶୀର୍ବାଦ ରହିଛି। ଯଦି କିଛି ମାସ ଜେଲ୍‌ରେ ରହିବାକୁ ପଡ଼େ, ସେଥିପାଇଁ ମୋର ପରବାଏ ନାହିଁ। ମୁଁ ଭଗତ ସିଂହଙ୍କର ଅନୁଗାମୀ। ଦେଶ ପାଇଁ ଭଗତ ସିଂହଙ୍କ ଫାଶୀ ଦିଆଯାଇଥିଲା। ଏଭଳି ମିଥ୍ୟା ଅଭିଯୋଗ କାରଣରୁ ଜେଲ୍‌ ଯିବା ତୁଚ୍ଛ କଥା।

ମନୀଷଙ୍କୁ ସମର୍ଥନ କରି ‘ଆପ୍‌’ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମଧ୍ୟ ଟୁଇଟ୍‌ କରି ଲେଖିଛନ୍ତି, ମନୀଷ ଈଶ୍ବର ଅଛନ୍ତି। ଲକ୍ଷ ଲକ୍ଷ ପିଲା ଓ ସେମାନଙ୍କ ପିତାମାତାଙ୍କ ଆଶୀର୍ବାଦ ତାଙ୍କ ଉପରେ ରହିଛି। ଦେଶ ଓ ସମାଜ ପାଇଁ ଆପଣ ଜେଲ୍‌ ଗଲେ ତାହା ଅଭିଶାପ ନୁହେଁ, ଗୌରବର କଥା। ଈଶ୍ବଙ୍କୁ ପ୍ରାର୍ଥନା କରୁଛି ଯେ, ଆପଣ ଜେଲ୍‌ରୁ ଖୁବ୍‌ ଶୀଘ୍ର ଫେରି ଆସନ୍ତୁ। ପିଲାଏ, ପିତାମାତା ଏବଂ ଆମେ ସମସ୍ତ ଦିଲ୍ଲୀବାସୀ ଆପଣଙ୍କ ଅପେକ୍ଷାରେ ଥିବୁ।

ସଦ୍ୟତମ ସୂଚନା ଅନୁସାରେ, ରାଜଘାଟରେ ‘ଆପ୍‌’ କର୍ମୀମାନଙ୍‌କୁ ଉଦ୍‌ବୋଧନ ଦେଇ ମନୀଷ ସିସୋଦିଆ ଏବେ ‘ସିବିଆଇ’ ମୁଖ୍ୟାଳୟ ଅଭିମୁଖେ ଯାଉଛନ୍ତି।