Odia News Portal

ମୋଦୀ-ସ୍କଲଜ ଆଲୋଚନା; ବିଶ୍ୱ ଶାନ୍ତି ପାଇଁ ଦୁଇ ରାଷ୍ଟ୍ର ପ୍ରତିଜ୍ଞାବଦ୍ଧ

 ଜର୍ମାନ ଚାନ୍ସେଲର ଓଲାଫ ସ୍କଲ୍‌ଜ ଶନିବାର ଦିନ ଭାରତ ପହଞ୍ଚିଛନ୍ତି। ସ୍କଲ୍‌ଜ ଦୁଇ ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ସହ ବରିଷ୍ଠ ଅଧିକାରୀ ଓ ଉଚ୍ଚସ୍ତରୀୟ ବ୍ୟବସାୟୀ ପ୍ରତିନିଧିମାନେ ମଧ୍ୟ ଆସିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବାପରେ ସ୍କଲ୍‌ଜଙ୍କୁ ଶନିବାର ଦିନ ରାଷ୍ଟ୍ରପତି ଭବନରେ ଭବ୍ୟ ସ୍ବାଗତ କରାଯାଇଛି। ସ୍କଲ୍‌ଜ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ପ୍ରଯୁକ୍ତି, ସ୍ବଚ୍ଛ ଶକ୍ତି, ବାଣିଜ୍ୟ ଓ ବିନି‌ଯୋଗ, ପ୍ରତିରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ପ୍ରସଙ୍ଗରେ ମୋଦୀ-ସ୍କଲ୍‌ଜଙ୍କ ମଧ୍ୟରେ ଆଲୋଚନା ହୋଇଛି। ୟୁକ୍ରେନ ଯୁଦ୍ଧ, ଭାରତ-ପ୍ରଶାନ୍ତ କ୍ଷେତ୍ର ସଂକ୍ରାନ୍ତରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ୟୁକ୍ରେନ ପ୍ରସଙ୍ଗରେ ଭାରତ କୂଟନୈତିକ କଥାବାର୍ତ୍ତା ଉପରେ ଗୁରୁତ୍ବ ଦେଇ ଆସିଛି ଏବଂ ଯେକୌଣସି ପ୍ରକାର ଶାନ୍ତି ପ୍ରକ୍ରିୟା ପାଇଁ ଭାରତ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି।

ସ୍କଲ୍‌ଜ କହିଛନ୍ତି, ଉଭୟ ଭାରତ ଏବଂ ଜର୍ମାନ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି ଏବଂ ଆଗକୁ ମଧ୍ୟ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକଟ କରୁଛି। ବିଶ୍ବ ଶାନ୍ତି ପାଇଁ ଉଭୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ବୋଲି ଓଲାଫ କହିଛନ୍ତି।

୨୦୨୧ ଡିସେମ୍ବରରେ ଓଲାଫ୍‌ ଜର୍ମାନ ଚାନ୍ସେଲର ହେବାପରେ ସେ ପ୍ରଥମ ଥର ପାଇଁ ଭାରତ ଗସ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଜି-୨୦ ସମ୍ମିଳନୀ ଅବସରରେ ଗତବର୍ଷ ନଭେମ୍ବର ୨୬ରେ ମୋଦୀ-ସ୍କଲ୍‌ଜ ଇଣ୍ଡୋନେସିଆର ରି‌ସୋର୍ଟ ସହର ବାଲିରେ ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ।