ଛତିଶଗଡ଼ର ରାୟପୁରରେ କଂଗ୍ରେସର ୮୫ତମ ମହାଅଧିବେଶନର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜନୀତିରୁ ସନ୍ନ୍ୟାସ ନେବାକୁ ସଙ୍କେତ ଦେବା ପରେ ଏହାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ତେବେ ବର୍ତ୍ତମାନ ଏହି ଚର୍ଚ୍ଚାକୁ ସୋନିଆ ଗାନ୍ଧୀ ଖଣ୍ଡନ କରିଛନ୍ତି। କଂଗ୍ରେସ ମୁଖପାତ୍ର ଅଳକା ଲାମ୍ବା ସୋନିଆ ଗାନ୍ଧୀଙ୍କ ପକ୍ଷରୁ କହିଛନ୍ତି ଯେ ସେ କେବେ ଅବସର ନେଇ ନାହାଁନ୍ତି କି ଅବସର ନେବେ ନାହିଁ। ଅଳକା କହିଛନ୍ତି ଯେ ଯେତେବେଳେ ମୁଁ ତାଙ୍କୁ ଏହି ଖବର ବିଷୟରେ କହିଲି, ସେ ହସି କହିଲେ ଯେ ମୁଁ କେବେ ଅବସର ନେଇ ନାହିଁ କିମ୍ବା ମୁଁ ଅବସର ନେବାକୁ ଯାଉନାହିଁ |
ସୋନିଆ ଗାନ୍ଧୀଙ୍କ ଭାଷଣରୁ ଏଭଳି ଅର୍ଥ ବାହାର ନ କରିବାକୁ ଗଣମାଧ୍ୟମକୁ ଅଳକା ଅନୁରୋଧ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା କୁମାରୀ ସେଲଜା କହିଥିଲେ ଯେ ସୋନିଆ ଗାନ୍ଧୀ ଅଧ୍ୟକ୍ଷା ଭାବରେ ତାଙ୍କ ଇନିଂସ ସମାପ୍ତ କରିଛନ୍ତି। କିନ୍ତୁ ସେ ରାଜନୀତିରୁ ଅବସର ନେଇ ନାହାଁନ୍ତି। ଉଲ୍ଲେଖ ଥାଉ କି କଂଗ୍ରେସର ୮୫ତମ ମହାଅଧିବେଶନର ଦ୍ବିତୀୟ ଦିନରେ ଉଦ୍ବୋଧନ ଦେଇ ସୋନିଆ କହିଥିଲେ ଯେ, ଭାରତ ଯୋଡ଼ୋ ଯାତ୍ରା ସହ ମୋର ଇନିଂସ ଶେଷ ହୋଇପାରେ।
୨୦୦୪ ଏବଂ ୨୦୦୯ରେ ଡକ୍ଟର ମନମୋହନ ସିଂହଙ୍କ ନେତୃତ୍ବରେ ଆମ ବିଜୟ ପାଇଁ ମୁଁ ବ୍ୟକ୍ତିଗତ ଭାବେ ସନ୍ତୁଷ୍ଟ ହୋଇଥିଲି। କିନ୍ତୁ ଏବେ ମୁଁ ଏଥିପାଇଁ ବହୁତ ଖୁସି ଯେ କଂଗ୍ରେସ ପାଇଁ ନିର୍ଣ୍ଣାୟକ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ସହିତ ମୋର ରାଜନୈତିକ କାର୍ଯ୍ୟକାଳ ଶେଷ ହୋଇପାରେ। ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିବା ପରେ ଆଜି କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି |