ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ଜିଏସ୍ଏମ୍ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସ୍ଏମ୍ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ କରିବା ଲାଗି ଭାରତକୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି ବୋଲି କେନ୍ଦ୍ର ସଞ୍ଚାର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।
ମନ୍ତ୍ରୀ ବୈଷ୍ଣବ କହିଲେ ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ଦୂରସଞ୍ଚାର ସଂସ୍କାରକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି, ଜିଏସ୍ଏମ୍ଏ ପୁରସ୍କାର ଏହାର ଏକ ଉଦାହରଣ। ସେ ଆହୁରି କହିଲେ ଯେ ଆମେ ସମସ୍ତେ ସଂସ୍କାରର ପ୍ରଭାବ ଦେଖିଛୁ। ପୂର୍ବରୁ ଆର୍ଓଡବ୍ଲୁ ଅନୁମତି ପାଇବାକୁ ୨୩୦ ଦିନରୁ ଅଧିକ ସମୟ ଲାଗୁଥିଲା, ବର୍ତ୍ତମାନ ଏହା ମାତ୍ର ୮ ଦିନରେ ମିଳିଯାଉଛି। ୮୫ ପ୍ରତିଶତରୁ ଅଧିକ ମୋବାଇଲ ଟାୱାର ମଞ୍ଜୁରି ଏବେ ତୁରନ୍ତ ମିଳିଯାଉଛି। ଭାରତ ବିଶ୍ୱରେ ସବୁଠୁ ଦ୍ରୁତ ଗତିରେ ୫ଜି ପ୍ରଯୁକ୍ତି କାର୍ଯ୍ୟକାରୀ କରୁଛି। ଏବେ ସୁଦ୍ଧା ୩୮୭ଟି ଜିଲ୍ଲାର ପ୍ରାୟ ୧ଲକ୍ଷ ଅଞ୍ଚଳରେ ଏହି ସୁବିଧା ଉପଲବ୍ଧ ହୋଇସାରିଛି।