ପୁରୀଘାଟ ଥାନା ଅଧୀନ ଟାଉନହଲ୍ ରୋଡ୍ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ ପରିମାଣର ନକଲି ଓ-୨ ମେଡିସିନ ଜବତ କରିଥିଲେ। ଏହି କାରବାର ସହ ଜଡ଼ିତ ଡିଷ୍ଟ୍ରିବ୍ୟୁଟର ବିଜୟ ଅଗ୍ରଓ୍ବାଲଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଏ ନେଇ ଥାନାରେ ଏକ ମାମଲା(ନଂ.୪୫/୨୩) ରୁଜୁ ହୋଇଛି। ତେବେ ଏହି ନକଲି ମେଡିସିନ ଦିଲ୍ଲୀ ଓ ଲକ୍ଷ୍ନୌରୁ ଆସୁଥିବା ନେଇ ପୋଲିସ୍କୁ ପ୍ରମାଣ ମିଳିଛି।
ସୂଚନା ଅନୁସାରେ, ପେଟରୋଗର ଆରୋଗ୍ୟ ପାଇଁ ବ୍ୟବହାର ହେଉଥିବା ଓ-୨ ମେଡିସିନ୍ର ନକଲି ବ୍ରାଣ୍ଡ ଦାମୀ ମେଡ୍ଲେ କମ୍ପାନୀର ଖୋଳରେ ଭର୍ତ୍ତି କରାଯାଇ ବିକ୍ରି ହେଉଥିବା ନେଇ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଡ୍ରଗ୍ସ କଣ୍ଟ୍ରୋଲ ବିଭାଗର ଅଧିକାରୀମାନେ ବଜାରରେ ବିକ୍ରି ହେଉଥିବା ଉକ୍ତ ମେଡିସିନ୍ର ନମୁନା ସଂଗ୍ରହ କରିଥିଲେ। ଦାମୀଖୋଳରେ ବିକ୍ରି ହେଉଥିବା ଓ-୨ ମେଡିସିନ୍ ଅସଲି କମ୍ପାନୀର ନୁହଁ ବୋଲି ସମ୍ପୃକ୍ତ କମ୍ପାନୀ ପକ୍ଷରୁ କୁହାଯିବା ପରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ଖୋଳତାଡ଼ ଆରମ୍ଭ କରିଥିଲା। ପୁରୀଘାଟ ପୋଲିସ ସହାୟତାରେ ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ ସୋମବାର ଟାଉନ ହଲ୍ ରୋଡ୍ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଗୋଦାମରେ ଚଢ଼ାଉ କରାଯାଇଥିଲା। ସେଠାରୁ ପ୍ରାୟ ୨ ଲକ୍ଷ ଟଙ୍କାର ନକଲି ଓ-୨ ମେଡିସିନ ଜବତ ହୋଇଥିଲା। ପୁଣି ମଙ୍ଗଳବାର ସେଠାରେ ଚଢ଼ାଉ କରାଯାଇ ଅବଶିଷ୍ଟ ନକଲି ମେଡିସିନ୍ ଜବତ କରାଯାଇଛି। ଏହି ନକଲି ମେଡିସିନ କାରବାରର ଗୁମର ଫିଟାଇବା ପାଇଁ ପୋଲିସ ବିଜୟଙ୍କୁ ପଚରାଉଚରା କରିବାବେଳେ ବହୁ ତଥ୍ୟ ହାସଲ କରିଛି। ସମ୍ପୃକ୍ତ ସଂସ୍ଥା ବିଜୟଙ୍କ ସ୍ତ୍ରୀଙ୍କ ନାମରେ ରହିଥିବାବେଳେ ବିଜୟ ନିଜେ ସବୁ କାରବାର କରୁଥିଲେ। ୨ ମାସ ତଳେ ଏହି ନକଲି ମେଡିସିନ୍ କାରବାର ଆରମ୍ଭ ହୋଇଥିଲା। ଦିଲ୍ଲୀର କ୍ରିଷ୍ଣା ମେଡିକୋ ଓ ଲକ୍ଷ୍ନୌର ନାଚୁରାଲ ଫାର୍ମାସ୍ୟୁଟିକାଲ୍ସରୁ ଏହି ନକଲି ମେଡିସିନ ଆସୁଥିଲା। କଟକ ସମେତ ଓଡ଼ିଶାର ବିଭିନ୍ନ ସହରକୁ ଏହି ନକଲି ମେଡିସିନ୍ ଯୋଗାଣ କରାଯାଉଥିଲା। ତେବେ ଏହାର ତାଲିକା ପ୍ରସ୍ତୁତ କରାଯିବା ପରେ ନକଲି ମେଡିସିନ୍କୁ ଫେରସ୍ତ ଅଣାଯାଉଥିବା ଜଣାଯାଇଛି। ଅପରପକ୍ଷରେ ପୋଲିସ ଦିଲ୍ଲୀ ଓ ଲକ୍ଷ୍ନୌ ଯାଇ ଉକ୍ତ ସଂସ୍ଥାଦ୍ୱୟକୁ ଠାବ କରିବାକୁ ଯୋଜନା କରିଛି। ଏହାପରେ ନକଲି କାରବାରର ମୂଳକୁ ଧରିବାରେ ସକ୍ଷମ ହୋଇପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, କିଛିମାସ ତଳେ ରକ୍ତଚାପ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ନକଲି ଟେଲମା-ଏମ୍ ଓ ଟେଲମା-୪୦ ମେଡିସିନ୍ କାରବାର ନେଇ ରାଜ୍ୟରେ ଚହଳ ପଡିଥିଲା। ଏହି ମାମଲାରେ ୨ଟି ଡିଷ୍ଟ୍ରିବ୍ୟୁଟର ସଂସ୍ଥାର ୨ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଅର୍ଥନୈତିକ କାରବାର ଉପରେ ରୋକ ଲଗାଯାଇଥିଲା। ରାଜ୍ୟ ବାହାରକୁ ବାରମ୍ବାର ପୁରୀଘାଟ ପୋଲିସ ଯାଇ ମାଷ୍ଟର ମାଇଣ୍ଡକୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଉକ୍ତ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଥିବାବେଳେ ପୁଣି ନକଲି ମେଡିସିନ କାରବାର କରିବାକୁ କିପରି ସାହସ କରାଯାଉଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Sign in
Sign in
Recover your password.
A password will be e-mailed to you.