Odia News Portal

ବିବିସି ଟିକସ ପ୍ରସଙ୍ଗ ଉଠାଇଥିବା ବ୍ରିଟେନ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଲା ଭାରତ

ବିବିସିର ଟିକସ ଫାଙ୍କି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଆଜି କଡ଼ା ଜବାବ ଦେଇଛନ୍ତି। ବ୍ରିଟିଶ ବୈଦେଶିକ ମନ୍ତ୍ରୀ ଜେମ୍‌ସ ଆଜି ଏକ ଦ୍ୱିପାକ୍ଷିକ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ସହ ବିବିସିରେ ଭାରତ ସରକାରଙ୍କ ପକ୍ଷରୁ କରାଯାଇଥିବା ଟିକସ ଚଢ଼ାଉ ପ୍ରସଙ୍ଗ ଉଠାଇଥିଲେ।

ତେବେ, ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷଙ୍କୁ ଦୃଢ଼ ଜବାବ ଦେଇ କହିଥିଲେ ଯେ ଭାରତରେ କାର୍ଯ୍ୟକରୁଥିବା ସମସ୍ତ ସଂସ୍ଥା ଦେଶର ଆଇନକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ, ଟିକସ ପୈଠରେ ଅନିୟମିତତା ଅଭିଯୋଗରେ ଗତ ମାସରେ ଆୟକର ବିଭାଗ ତିନି ଦିନ ଧରି ଦିଲ୍ଲୀ ଏବଂ ମୁମ୍ବାଇସ୍ଥିତ ବିବିସି କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ଏହି ଚଢ଼ାଉ ସମୟରେ ବରିଷ୍ଠ କର୍ମଚାରୀଙ୍କୁ ରାତିସାରା ରହି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା।

୨୦୦୨ ଗୁଜୁରାଟ ସାମ୍ପ୍ରଦାୟିକ ଦଙ୍ଗା ସମୟରେ ତତ୍କାଳୀନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱକୁ ସମାଲୋଚନା କରି ଏକ ଡକ୍ୟୁମେଣ୍ଟାରି ବ୍ରିଟିଶ ପବ୍ଲିକ୍‌ ସର୍ଭିସ୍‌ ବ୍ରଡକାଷ୍ଟର (ବିବିସି) ପ୍ରସାରଣ କରିବାର କିଛି ସପ୍ତାହ ପରେ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ଶେଷ କରିବା ପରେ ଟିକସ ବିଭାଗ ଦାବି କରଥିଲା ଯେ ଟିକସ ଫାଙ୍କି ନେଇ ଅନେକ ପ୍ରମାଣ ମିଳିଛି; ଯାହା ଦର୍ଶାଉଛି ଯେ କେତେକ କାରବାର ଉପରେ ଟିକସ ପୈଠ କରାଯାଇନାହିଁ ଯାହାକୁ ବିଦେଶୀ ସଂସ୍ଥାଦ୍ୱାରା ଭାରତରୁ ଆୟ ଭାବରେ ପ୍ରକାଶ କରା ଯାଇନାହିଁ। ଟିକସ ବିଭାଗ ଅଭିଯୋଗ କରଥିଲା ଯେ ଏହି ଚଢ଼ାଉ ସମୟରେ ଟ୍ରାନ୍‌ସଫର ପ୍ରାଇସିଂ ଡକ୍ୟୁମେଣ୍ଟେସନରେ ଅସଙ୍ଗତି ଦେଖିବାକୁ ମିଳିଥିଲା।

ଏହାର କିଛି ଦିନ ପରେ ବ୍ରିଟିଶ ସରକାର ବିବିସି ଓ ଏହାର ସମ୍ପାଦକୀୟ ସ୍ୱାଧୀନତାକୁ ଦୃଢ଼ ଭାବେ ସମର୍ଥନ କରିଥିଲେ। ‘ଆମେ ବିବିସି ପାଇଁ ଠିଆ ହୋଇଛୁ। ଆମେ ବିବିସିକୁ ପାଣ୍ଠି ଯୋଗାଉଛୁ। ଆମେ ଭାବୁଛୁ ବିବିସି ୱାର୍ଲ୍‌ଡ ସର୍ଭିସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଚାହୁଁଛୁ ଯେ ବିବିସିକୁ ସେହି ସମ୍ପାଦକୀୟ ସ୍ୱାଧୀନତା ମିଳୁ’ ବୋଲି ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ବିକାଶ କାର୍ଯ୍ୟାଳୟର ସଂସଦୀୟ ଉପସଚିବ ଡେଭିଡ୍‌ ରୁଟଲି ଦାବୀ କରିଥିଲେ। ଏହା ଆମକୁ (ସରକାରଙ୍କୁ) ସମାଲୋଚନା କରେ, ଏହା (ବିରୋଧୀ) ଲେବର ଦଳକୁ ସମାଲୋଚନା କରେ ଏବଂ ଏହାର ସେହି ସ୍ୱାଧୀନତା ଅଛି ଯାହାକୁ ଆମେ ବିଶ୍ୱାସ କରୁ ଯେ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସ୍ୱାଧୀନତା ଗୁରୁତ୍ୱପୂର୍ଣ୍ଣ ଏବଂ ଆମେ ଏହାର ଗୁରୁତ୍ୱ ଭାରତ ସରକାରଙ୍କ ସମେତ ସମଗ୍ର ବିଶ୍ୱର ବନ୍ଧୁମାନଙ୍କୁ ଜଣାଇ ଦେବାକୁ ଚାହୁଁଛୁ। ବିବିସି ଉପରେ ଏହି ଟିକସ ଫାଙ୍କି ଚଢ଼ାଉକୁ ବିରୋଧୀ ଦଳଗୁଡ଼ିକ ତୀବ୍ର ସମାଲୋଚନା କରିଥିଲେ ଏବଂ ଭାରତ ସରକାର ଏହି ଡକ୍ୟୁମେଣ୍ଟାରି ପାଇଁ ବିବିସି ଉପରେ ପ୍ରତିଶୋଧ ନେଉଥିବା ଅଭିଯୋଗ କରିଥିଲେ।

ତେବେ, ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଗତ ସପ୍ତାହରେ ଏକ ସାକ୍ଷାତକାରରେ ବିବିସି ଡକ୍ୟୁମେଣ୍ଟାରିର ସମୟ ଆକସ୍ମିକ ନୁହେଁ ବୋଲି କହିଥିଲେ ଏବଂ ବିଦେଶୀ ଗଣମାଧ୍ୟମରେ ଏହି ଖବରକୁ ନିନ୍ଦା କରିଥିଲେ। ବିଦେଶୀ ସଂସ୍ଥାର ଏଭଳି କାହାଣୀ ପଛର ଉଦ୍ଦେଶ୍ୟ ଥିଲା ଭାରତ ବିରୋଧୀ ଏଜେଣ୍ଡାକୁ ଆଗକୁ ବଢ଼ାଇବା ବୋଲି ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି।