ଗୁରୁବାର ଦିନ ଚଳଚ୍ଚିତ୍ର ଅଭିନେତା ଶାହାରୁଖ୍ ଖାନ୍ ମୁମ୍ବାଇସ୍ଥିତ ବଙ୍ଗଳା ‘ମନ୍ନତ୍’ରେ ୨ଜଣ ଯୁବକ ପ୍ରବେଶ କରିଥିବା ପୁଲିସ କହିଛି।
ବାନ୍ଦ୍ରା ପୁଲିସର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବାହାର ପାଚେରି ଚଢ଼ି ‘ମନ୍ନତ’ ପରିସରକୁ ପ୍ରବେଶ କରିଥିବା ୨ଜଣ ଯୁବକଙ୍କୁ ‘ସିକ୍ୟୁରିଟି ଗାର୍ଡ’ମାନେ ଧରି ପକାଇଥିଲେ। ପୁଲିସ ତଦନ୍ତରୁ ଜଣାଡ଼ିଛି ଯେ, ୧୯ରୁ ୨୦ ବର୍ଷ ବୟସ୍କ ଯୁବକଦ୍ବୟ କହିଛନ୍ତି ଯେ, ସେମାନେ ଗୁଜରାଟ ଅନ୍ତର୍ଗତ ସୁରତ ବାସିନ୍ଦା ଏବଂ ‘ପଠାନ୍’ ଷ୍ଟାର୍ଙ୍କୁ ଭେଟିବା ପାଇଁ ଇଚ୍ଛୁକ।
‘ଇଣ୍ଡିଆନ୍ ପେନାଲ୍ କୋଡ୍’ ବ୍ୟବସ୍ଥା ଅନୁସାରେ ସେମାନଙ୍କ ବିରୋଧରେ ବିନାଅନୁମତିରେ ପ୍ରବେଶ ଏବଂ ଅନ୍ୟାନ୍ୟ ଅପରାଧିକ ମାମଲା ରୁଜୁ କରାଯାଇଛି। ଘଟଣାର ଅଧିକ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।
ଅନ୍ୟ ଏକ ରିପୋର୍ଟ ଅନୁସାରେ, ପାଚେରି ଡେଇଁ ଯୁବକଦ୍ବୟ ‘ମନ୍ନତ୍’ର ତୃତୀୟ ମହଲାରେ ପହଞ୍ଚିବା ପରେ ସୁରକ୍ଷାକର୍ମୀଙ୍କ ଦୃଷ୍ଟିରେ ପଡ଼ିଥିଲେ। ସେମାନେ ଦୁହିଁଙ୍କୁ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। କୁହାଯାଉଛି, ସେତେବେଳେ ଶାହାରୁଖ୍ ଖାଁ ଘରେ ନ ଥିଲେ। ଉଭୟଙ୍କୁ ପୁଲିସ ଗିରଫ କରିଛି।