Odia News Portal

ଏପ୍ରିଲରୁ ବିକ୍ରି ହୋଇପାରିବନି ୪ ଡିଜିଟ ହଲମାର୍କ ଥିବା ସୁନାଗହଣା

ଆସନ୍ତା ମାସ ପହିଲାରୁ ଦେଶରେ ସୁନା ବିକ୍ରି ନିୟମ ବଦଳିବ। ୪ ଡିଜିଟ୍‌ ହଲମାର୍କ ଥିବା ସୁନା ଗହଣା ବିକ୍ରି କରାଯାଇ ପାରିବ ନାହିଁ। ଏହା ପରିବର୍ତ୍ତେ ୬ ଡିଜିଟ୍‌ ବିଶିଷ୍ଟ ହଲମାର୍କ ଥିବା ସୁନା ଗହଣା ବିକ୍ରି ହେବ। ସୁନା ଗହଣାର ଶୁଦ୍ଧତାକୁ କଡ଼ାକଡ଼ି କରିବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।
ହଲମାର୍କ ୟୁନିକ୍ ଆଇଡେଣ୍ଟିଫିକେସନ (ଏଚୟୁଆଇଡି) ଦ୍ବାରା ଗହଣାର ବିଶ୍ବସନୀୟତା ବଢ଼ିବ। କେବଳ ସେତିକି ନୁହେଁ ଗହଣା ସଂପର୍କରେ ଅଧିକ ସୂଚନା ସେଥିରୁ ମିଳିପାରିବ। କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, ୪ ଡିଜିଟ୍‌ ଏଚୟୁଆଇଡି (ହଲମାର୍କ ଏକକ ପରିଚୟପତ୍ର) ନମ୍ବର ଥିବା ସୁନା ଗହଣା ଏବଂ କଳାକୃତି ଏପ୍ରିଲ ୧ରୁ ବିକ୍ରି ହେବନାହିଁ।

ଏହା ପରିବର୍ତ୍ତେ ୬ ଡିଜିଟ୍‌ (ଅକ୍ଷର ଓ ସଂଖ୍ୟାକୁ ମିଶାଇ) ହଲମାର୍କ ବିଶିଷ୍ଟ ଗହଣା ବିକ୍ରି କରାଯାଇ ପାରିବ। ତେଣୁ ସୁନା କିଣିବାକୁ ଯୋଜନା ରଖିଥିବା ବ୍ୟକ୍ତିମାନେ ଏହି ନୂଆ ହଲମାର୍କିଂ ବ୍ୟବସ୍ଥା କ’ଣ ତାହା ଜାଣିବା ଆବଶ୍ୟକ। ସୁନା ଗହଣାରେ ୩ଟି ଚିହ୍ନ ରହିବ। ସେହି ତିନିଟି ଚିହ୍ନ ମଧ୍ୟରୁ ପ୍ରଥମଟି ହେଲା ଭାରତୀୟ ମାନକ ବ୍ୟୁରୋ ବା ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସର ଚିହ୍ନ। ଦ୍ବିତୀୟଟି ହେଲା ସୁନାର ଶୁଦ୍ଧତା ମାନ। ଏଥିରେ ସୁନା ଗହଣା କେତେ କ୍ୟାରେଟର ତାହା ଜଣାପଡ଼ିଥାଏ। ତୃତୀୟଟି ହେଲା ଅକ୍ଷର ଏବଂ ସଂଖ୍ୟାର ୬ଟି ଏଚୟୁଆଇଡି ବା ହଲମାର୍କ ନମ୍ବର। ପ୍ରତ୍ୟେକ ଗହଣା ପାଇଁ ଉକ୍ତ ନମ୍ବର ସ୍ବତନ୍ତ୍ର ରହିବ। ଗ୍ରାହକ ଗହଣା ଓ କଳାକୃତି କିଣିବା ପୂର୍ବରୁ ଏହାକୁ ପରଖି ନେବା ଉଚିତ।

ଉଲ୍ଲେଖଯୋଗ୍ୟ ପୂର୍ବରୁ କେବଳ ୪ ଡିଜିଟ ବିଶିଷ୍ଟ ହଲମାର୍କ ଥିବା ଗହଣା ବିକ୍ରି ହେଉଥିଲା। କିନ୍ତୁ ଏବେ ଉଭୟ ୪ ଡିଜିଟ ଏବଂ ୬ ଡିଜିଟ୍‌ର ହଲମାର୍କ ଗହଣା ବିକ୍ରି କରାଯାଉଛି। କିନ୍ତୁ ଏପ୍ରିଲ ପହିଲାରୁ କେବଳ ୬ ଡିଜିଟ ବିଶିଷ୍ଟ ହଲମାର୍କ ଥିବା ଗହଣା ବିକ୍ରି କରାଯିବ।