Odia News Portal

ଉତ୍କଟ ଜଳ ସମସ୍ୟା: ଦିନେ ଜଳ ଯୋଗାଣ ହେଲେ 3ଦିନ ବନ୍ଦ, ନଦୀ ପଠା ଖୋଳି ସାଉଁଟୁଛନ୍ତି ଦୂଷିତ ଜଳ

ରାଜ୍ୟରେ ତାତି ବଢିବା ସହିତ ବଢିଛି ପାନୀୟଜଳ ସମସ୍ୟା । ନୂଆପଡ଼ା ଜିଲ୍ଲାର ଆଦିବାସୀ ବହୁଳ ଗ୍ରାମ ଗୁଡିକରେ ମଧ୍ୟ ଦେଖିବାକୁ ମିଳିଛି ଅନୁରୂପ ପରିସ୍ଥିତି । ସ୍ଥାନେ ସ୍ଥାନେ ପାଣି ପାଇପ୍ ଫାଟିବା ଯୋଗୁଁ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଏହା ସହିତ ଦିନେ ପାଣି ଆସିଲେ ଆସନ୍ତା 3-4 ଦିନ ପର୍ଯ୍ୟନ୍ତ ପାଣି ଯୋଗାଣ ଠପ୍ ହୋଇଯାଉଛି । ଫଳରେ ଜୀବନଧାରଣ ପାଇଁ ଏହି ଦାରୁଣ ଖରାରେ ପାଦରେ ଚାଲି ଚାଲି 2 କିମି ରାସ୍ତା ଅତିକ୍ରମ କରି ପାଣି ସଂଗ୍ରହ କରୁଛନ୍ତି । ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମ ପଞ୍ଚାୟତ ସ୍ଥିତ ଆଦିବାସୀ ବହୁଳ ଗୁଡଭେଲି ଗ୍ରାମରେ ଦେଖିବାକୁ ମିଳୁଛି ଏପରି ଦୃଶ୍ୟ ।ନୂଆପଡା ଜିଲ୍ଲା ସଦର ମହୁକମା ଠାରୁ 80 କିମି ଦୂରତାରେ ଅବସ୍ଥିତ ଡୁଆଝର ଗ୍ରାମ ପଞ୍ଚାୟତର ଆଦିବାସୀ ବହୁଳ ଗୁଡ଼ଭେଲି ଗାଁ । ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ଡ଼ହ ଡ଼ହ ଖରା ସାଙ୍ଗକୁ ମୁଣ୍ଡରେ ଗରା, ମାଠିଆ ଓ ବାଲଟି ଧରି ପାଣି ସଂଗ୍ରହ କରିବା ପାଇଁ ଦଳ ଦଳ ହୋଇ ବାହାରି ପଡ଼ନ୍ତି ଗୁଡଭେଲି ଗ୍ରାମର ବାସିନ୍ଦା । 1997 ମସିହାରେ ତତ୍କାଳୀନ ସରକାର ବସୁଧା ଯୋଜନାରେ ଗ୍ରାମକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା କରିଥିଲେ । ହେଲେ ତାହା ମଧ୍ୟ ଅଚଳ ହେବା ନିକଟତର । ଗୋଟିଏ ଦିନ ଯୋଗାଣ ପାଣି ଆସିଲେ ଆଗାମୀ 3-4ଦିନ ଜଳ ଯୋଗାଣ ବନ୍ଦ । ଫଳରେ ପାଣି ପାଇଁ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଛନ୍ତି ।ପରିଶେଷରେ ବ୍ୟବହାର୍ଯ୍ୟ ପାଣି ପାଇଁ 2 କିମି ଦୂରରେ ଥିବା ସୁନ୍ଦର ନଦୀ ଉପରେ ଗ୍ରାମବାସୀ ନିର୍ଭରଶୀଳ ହୋଇଛନ୍ତି । ନଦୀରେ ମଧ୍ୟ ସଫା ପାନୀୟ ଉପଯୋଗୀ ଜଳ ନଥିବାର ଦେଖିବାକୁ ମିଳିଛି । ମାତ୍ର ଜଳ ଅଭାବ ପରିସ୍ଥିତି ପାଇଁ ବାଧ୍ୟ ହୋଇ ଗ୍ରାମବାସୀ ନଦୀ ପଠା ଖୋଳି ସେଠାରୁ ପାନୀୟଜଳ ସଂଗ୍ରହ କରିବାରେ ଲାଗିଛନ୍ତି । ଏହି ପାଣି ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ । ହେଲେ କିଛି ବିକଳ୍ପ ନପାଇ ବାଧ୍ୟ ହୋଇ ଏହି ଦୂଷିତ ପାଣିରେ ଶୋଷ ମେଣ୍ଟାଉଥିବା ମହିଳାମାନେ କହିଛନ୍ତି । ଅପରପକ୍ଷେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ଗାଁର ପାଣି ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମର ମହିଳା ମାନେ ଅଭିଯୋଗ କରିଛନ୍ତି ।ଆଦିବାସୀ ବହୁଳ ଏହି ଗ୍ରାମକୁ ସରକାରଙ୍କ ଜନସ୍ୱାସ୍ଥ୍ୟ ବିଭାଗ ବସୁଧା ଯୋଜନାରେ ସାମିଲ କରିଥିଲା । 1997 ମସିହାରୁ ନିକଟସ୍ଥ ସୁନ୍ଦର ନଦୀ ତଟରେ ଏକ ସିନଟାକ୍ସ ଗଭୀର କୂପ ଖୋଳି ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିଥିଲା । ସେହିଦିନ ଠାରୁ 2016 ମସିହା ପର୍ଯ୍ୟନ୍ତ ଗ୍ରାମରେ ଜଳ ଯୋଗାଣ ନେଇ କୌଣସି ସମସ୍ୟା ନଥିଲା । 2017 ମସିହାରେ ଏହି ଜଳ ଯୋଗାଣ ପ୍ରକଳ୍ପକୁ ବୁଲାଣିଆ କରି ନିକଟସ୍ଥ ଡୁଆଝର ଗାଁକୁ ପ୍ରଶାସନ ଯୋଡିଥିଲା । ଏଭଳି କରିବା ଦ୍ୱାରା 2017 ମସିହାରୁ ଗୁଡଭେଲି ଗାଁକୁ ପାଣି ପହଞ୍ଚି ପାରୁନାହିଁ । ଗୋଟିଏ ଦିନ ଜଳ ଯୋଗାଣ ହେଲେ ତିନିଦିନ ଜଳ ଯୋଗାଣ ବନ୍ଦ ରହୁଛି ।