Odia News Portal

ମଧ୍ୟପ୍ରଦେଶ କ୍ରୁଜ ଦୁର୍ଘଟଣା ପରେ ପୁରୀରେ ପର୍ଯ୍ୟଟକଙ୍କ ସୁରକ୍ଷା ଚିନ୍ତା, କ’ଣ ବ୍ୟବସ୍ଥା କରିଛି ପ୍ରଶାସନ ?

ପୁରୀ ସମୁଦ୍ରରେ ଓ୍ବାଟର ସ୍ପୋର୍ଟସ ତଥା ସାମୁଦ୍ରିକ ଜଳକ୍ରୀଡ଼ାର ଚାହିଦା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ଯୁବପିଢିମାନେ ଓ୍ବାଟର ସ୍ପୋର୍ଟସ୍‌ର‌ ମଜା ନେବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଗତ 2 ଦିନ ତଳେ ମଧ୍ୟପ୍ରଦେଶର ଜବଲପୁର ଠାର‌େ ଏକ ଡ୍ୟାମ୍‌ରେ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ କ୍ରୁଜ ବୁଡ଼ି ଯିବାରୁ ଅନେକ ପର୍ଯ୍ୟଟକଙ୍କର ଦୁଃଖଦ ମୃତ୍ୟୁ ଘଟିଛି ।‌ ଏହି ଘଟଣା ପରେ ରାଜ୍ୟରେ ହେଉଥିବା ଏହି ଦୁଃସାହାସିକ ଜଳକ୍ରୀଡ଼ା ପର୍ଯ୍ୟଟକଙ୍କ ପାଇଁ କେତେ ସୁରକ୍ଷିତ ଏବଂ ଏନେଇ ପ୍ରଶାସନ କେତେ ସଜାଗ ରହିଛି ଏସମ୍ପର୍କରେ ବିଭିନ୍ନ ମତ ପ୍ରକାଶ ପାଇଛି ।ରାଜ୍ୟର ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ପୁରୀ । ପ୍ରତିଦିନ ଏଠାକୁ ରାଜ୍ୟ, ଦେଶ ତଥା ବିଦେଶରୁ ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥାନ୍ତି । ଏହା ସହିତ ଜିଲ୍ଲାରେ ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ସମୁଦ୍ରରେ ମଜା ନେଇଥାନ୍ତି । ଏହା ସହିତ ଖରା ଗରମ ଦିନରେ ତାତିରୁ ତ୍ରାହି ପାଇଁ ଅନେକ ପର୍ଯ୍ୟଟକ ସମୁଦ୍ରକୂଳକୁ ବୁଲିବାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ସମୁଦ୍ର ବେଳାଭୂମିରେ ଜଳକ୍ରୀଡ଼ା ପାଇଁ ବ୍ୟାପକ ବ୍ୟବସ୍ଥା ମଧ୍ୟ ରହିଛି । ମାତ୍ର ଜଳକ୍ରୀଡ଼ା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଓ ଗାଇଡଲାଇନ୍‌ ଗୁଡିକର ପାଳନ ସଠିକ ଭାବେ ପାଳନ ହେଉଛି କି ନାହିଁ, ତାହା ବ୍ୟାପକ ସ୍ତରରେ ପରୀକ୍ଷଣ କରାଯିବାର ଆବଶ୍ୟକତା ରହିଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।ସମୁଦ୍ରରେ ଓ୍ବାଟର ସ୍ପୋର୍ଟସ୍‌ ଯେତିକି ରୋମାଞ୍ଚକର ସେତିକି ବିପଦପୂର୍ଣ୍ଣ ମଧ୍ୟ ।‌ ତେଣୁ ଓ୍ବାଟର ସ୍ପୋର୍ଟସ୍‌ର‌ ମଜା ନେଉଥିବା ପ୍ରତ୍ୟେକ ପର୍ଯ୍ୟଟକଙ୍କ ପାଇଁ ଲାଇଫ୍ ଜ୍ୟାକେଟ୍‌ ବ୍ୟବହାରକୁ କଡ଼ାକଡ଼ି କରାଯିବାକୁ ବୁଦ୍ଧିଜୀବୀ କହିଛନ୍ତି । ଏଥିସହିତ ଓ୍ବାଟର ସ୍ପୋର୍ଟସ୍‌ ସମୟରେ କୌଣସି ଅଘଟଣ ଘଟିଲେ, ଲୋକଙ୍କୁ ଉଦ୍ଧାର କରିବା ପାଇଁ ଭଲ ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍‌ ଗାର୍ଡ ମୁତୟନ ରହିବା ଆବଶ୍ୟକ । ଏହା ସହିତ ଅତ୍ୟାଧୁନିକ ରେସ୍କ୍ୟୁ ଉପକରଣ ପ୍ରଦାନ କରିବା ଏବଂ ପର୍ଯ୍ୟଟକଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନେବା ପାଇଁ ବେଳାଭୂମିରେ ଆମ୍ବୁଲାନ୍ସ ବ୍ୟବସ୍ଥା ଯଥାଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।ପୁରୀ ବାସିନ୍ଦା ତଥା ବୁଦ୍ଧିଜୀବୀ ସିଦ୍ଧାର୍ଥ ରାୟ କହିଛନ୍ତି, “କେବଳ ପୁରୀ ସମୁଦ୍ର ନୁହେଁ ଚିଲିକାରେ ମଧ୍ୟ ବିନା ଲାଇଫ୍‌ ଜ୍ୟାକେଟରେ ପର୍ଯ୍ୟଟକଙ୍କୁ ଅତି ବିପଦପୂର୍ଣ୍ଣ ଭାବେ ଦେଶୀ ଡଙ୍ଗାରେ ବୁଲାଇବାକୁ ନିଆଯାଉଛି । ପ୍ରଶିକ୍ଷଣପ୍ରାପ୍ତ ଲାଇଫ୍‌ ଗାର୍ଡଙ୍କ ଅଭାବ ରହିଛି । କେବଳ କିଛି ଅଘଟଣ ଘଟିଲେ ପ୍ରଶାସନ କିଛି ପଦକ୍ଷେପ ନେଉଛି । ଏପରି ଅଘଟଣକୁ ରୋକିବାକୁ ହେଲେ ପୁରୀ ସମୁଦ୍ର ହେଉ କି ଚିଲିକା, ସବୁଠାରେ ପର୍ଯ୍ୟଟକଙ୍କ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହେବା ଉଚିତ । କେବଳ ଗାଇଡଲାଇନ ଜାରି କରି ବସିଗଲେ ହେବ ନାହିଁ । ନିୟମିତ ଭାବେ ଯାଞ୍ଚ ହେବାର ଆବଶ୍ୟକତା ରହିଛି ।”