ଆଜି (ଗୁରୁବାର) ବସିବ ଓଡ଼ିଶା ବିଧାନସଭାର ସ୍ଵତନ୍ତ୍ର ଅଧିବେଶନ । ଅଧିବେଶନ ପୂର୍ବରୁ ସରଗରମ ହୋଇଛି ରାଜ୍ୟ ରାଜନୀତି । ଦିନିକିଆ ଅଧିବେଶନ ପୂର୍ବରୁ ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ । ସ୍ଵତନ୍ତ୍ର ଅଧିବେଶନ ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ରହିଥିବା କହି ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ଧୂଆଁବାଣ ମାରୁଥିବା କହି ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ମହିଳାଙ୍କୁ ଅଧିକାର ଦେବା ପ୍ରସଙ୍ଗରେ ବିରୋଧୀଙ୍କ ଅସଲ ମୁଖା ଖୋଲି ଯାଇଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସ୍ୱତନ୍ତ୍ର ବିଧାନସଭାକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଆଜି ବସିବ ଓଡିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ । ମହିଳାଙ୍କୁ ଅଧିକାର ପ୍ରସଙ୍ଗରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସଙ୍କୁ କାଠଗଡ଼ାକୁ ଟାଣିବା ପାଇଁ ବିଜେପି ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ବିରୋଧୀ ଦଳଙ୍କୁ ମହିଳା ବିରୋଧୀ ଦର୍ଶାଇବା ପାଇଁ ବିଧାନସଭାରେ ବିଧିବଦ୍ଧ ଭାବେ ପାରିତ ହେବ ସଂକଳ୍ପ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ଶାସକ ଦଳ । ସେହିପରି ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ବିଲକୁ ନେଇ ବିଜେପିକୁ ପ୍ରତି ଆକ୍ରମଣ କରିବାକୁ ସୁଯୋଗ ଅପେକ୍ଷାରେ ଅଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ଏଭଳି ସ୍ଥିତିରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବେଶ ସରଗରମ ରହିବ । ଅଧିବେଶନ ପୂର୍ବରୁ ଆଜି ରାଜନୈତିକ ଉଷ୍ମତା ବାରି ହୋଇପଡିଛି । ଅଧିବେଶନ ପୂର୍ବରୁ ଗତକାଲି ମୁହାଁମୁହିଁ ହୋଇଛନ୍ତି ଶାସକ-ବିରୋଧୀ ।
ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଦିନକ ପାଇଁ ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । କିନ୍ତୁ କୌଣସି ବିଲ କିମ୍ବା କାର୍ଯ୍ୟକ୍ରମ ଆସିନାହିଁ । ମହିଳା ମାନଙ୍କ ସମ୍ପର୍କରେ କେବଳ ଗୋଟିଏ ଡିବେଟ କମ୍ପିଟିସନ କରିବା ପାଇଁ ବିଧାନସଭା ଡାକିଛନ୍ତି ସରକାର । ଡିବେଟ କମ୍ପିଟିସନ ବିଧାନସଭା ବାହାରେ ମଧ୍ୟ ହୋଇପାରିଥାନ୍ତା । ବିଧାନସଭାରେ ଡାକି ଗୋଟିଏ ଦିନରେ କୋଟିଏ ଟଙ୍କା ଖର୍ଚ୍ଚ କରିବେ । ଯାହା ଆମେ ଶୁଣୁଛୁ ସରକାର କେବଳ ଗୋଟେ ସଂକଳ୍ପ ପାରିତ କରିବେ । ବିରୋଧୀ ଦଳଙ୍କୁ ନିନ୍ଦା କରି ପ୍ରସ୍ତାବ ପାରିତ କରିବେ । ଏଥିରୁ ସରକାରଙ୍କ ଆଭିମୁଖ୍ୟ ଜଣାପଡୁଛି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ସର୍ବସମ୍ମତି କ୍ରମେ ମହିଳାଙ୍କ ନେତୃତ୍ୱ ପ୍ରସଙ୍ଗରେ ସଂକଳ୍ପ ପାରିତ କରି ସାରିଛି । ମହିଳାଙ୍କ ପ୍ରସଙ୍ଗରେ ବିଜେଡିର ନୀତି ଅତ୍ୟନ୍ତ ସ୍ପଷ୍ଟ । “
ପ୍ରସନ୍ନ ଆହୁରି ମଧ୍ୟ କହିଛନ୍ତି, “ସରକାର ମହିଳା ସଂରକ୍ଷଣକୁ ସଂକୀର୍ଣ୍ଣ ରାଜନୈତିକ ଦୃଷ୍ଟିରେ ଦେଖୁଛନ୍ତି । ବିଜେଡି ଚାହେଁ ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ଏକ ତୃତୀୟାଂଶ ସଂରକ୍ଷଣ ରହୁ । କେହି ଏହାକୁ ବିରୋଧ କରୁନାହାନ୍ତି । ୨୦୨୩ରେ ବର୍ତ୍ତମାନର ବିଜେପି ସରକାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମହିଳା ସଂରକ୍ଷଣ ସମ୍ପର୍କୀୟ ସଂଶୋଧନ ବିଧେୟକ ସଂସଦରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହାକୁ ତୁରନ୍ତୁ ଲାଗୁ କରନ୍ତୁ । ବିଧାନସଭାକୁ ଆମେ ସମ୍ମାନ ଦେଉ, ତେଣୁ ଆମେ ଯିବୁ । ହେଲେ ଏ ବିଧାନସଭା ଡାକିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଅଛି ।”ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଓଡ଼ିଶା ଓ ସାରା ଭାରତର ଜନସାଧାରଣ ବୁଝି ସାରିଲେଣି ବିରୋଧୀ ଦଳ ମହିଳାଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ । ବିରୋଧୀ ଦଳଙ୍କର ଅସଲ ମୁଖା ଏବେ ଖୋଲିଯାଇଛି । ମହିଳା ଭୋଟ, ମହିଳା ସୁରକ୍ଷା ଓ ମହିଳା ସଂରକ୍ଷଣ କଥା କହୁଥିଲେ । ପ୍ରଧାନମନ୍ତ୍ରୀ ମହିଳାଙ୍କ ଲାଗି ସ୍ୱତନ୍ତ୍ର ବିଲ ଆଣିଲେ । ମହିଳା ପ୍ରତିନିଧିତ୍ୱ ଓ ନେତୃତ୍ୱକୁ ବିଧାନସଭା ଓ ସଂସଦ ସୁଯୋଗ ଦେବାକୁ ଚେଷ୍ଟା କଲେ । ହେଲେ ବିରୋଧୀ ଏହାକୁ ହେବାକୁ ଦେଲେ ନାହିଁ । ବିଲ୍ କାଟ ଖାଇଲା । ଏହା ଅତ୍ୟନ୍ତ ନିନ୍ଦନୀୟ ଘଟଣା । ସାରା ଭାରତର ମହିଳା ଜାଗ୍ରତ ଅଛନ୍ତି । ଓଡ଼ିଶାରେ ନବୀନ ବାବୁ ଦୀର୍ଘ ଦିନ ଧରି ମହିଳାଙ୍କୁ ଠକି ଭୋଟ ନେଉଥିଲେ । ମିଶନ ଶକ୍ତି, ସ୍ୱୟଂ ସହାୟକ ଗୋଷ୍ଠୀ ନାଁ’ରେ ଭଣ୍ଡେଇ ଭୋଟ ନେଉଥିଲେ । ଯାହାର ଅସଲ ମୁଖ ଏବେ ଖୋଲି ଯାଇଛି । ବିଜେଡି ଚାହିଁଥିଲେ ବିଲରେ ସହଯୋଗ କରିପାରିଥାନ୍ତା । କିନ୍ତୁ କଲେ ନାହିଁ । ଆସନ୍ତାକାଲି ଏ ବାବଦରେ ଆଲୋଚନା ହେବ।”କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ପୂର୍ବ ବିଲକୁ 2024 ନିର୍ବାଚନରେ ଲାଗୁ କରେଇବା କଥା । ବର୍ତ୍ତମାନ ନିର୍ବାଚନକୁ ଆଖି ଆଗରେ ରଖି ସରକାର ଏ ବିଲ୍ ଆଣିଛନ୍ତି । ଆସନ୍ତାକାଲି ସ୍ୱତନ୍ତ୍ର ଅଧିବେଶନରେ ସରକାର ବିରୋଧୀଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବେ । କଂଗ୍ରେସ ମଧ୍ୟ ସରକାରଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିବ । ସରକାରଙ୍କୁ ଆମେ ମଧ୍ୟ ଉଚିତ ଜବାବ ଦେବୁ । ବିଜେପିର ପ୍ରଚାର କରିବାରେ ଗରିବ ଲୋକଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରିବେ ମୋହନ ସରକାର । ବିଜେପି ସରକାର ଲୋକଙ୍କ ସରକାର ନୁହେଁ ଧୂଆଁବାଣର ସରକାର ।”
ବରିଷ୍ଠ ସାମ୍ବାଦିକ ରବି ଦାସ କହିଛନ୍ତି,”ରାଜନୈତିକ ପ୍ରୋପାଗଣ୍ଡା ପାଇଁ ଏହି ଦିନିକିଆ ଅଧିବେଶନ । ବିରୋଧୀ ଦଳ ମହିଳାଙ୍କ ବିରୋଧୀ ବୋଲି ବାର୍ତ୍ତା ଦେବା ପାଇଁ ବିଜେପି ସାରା ଦେଶରେ ଯୋଜନା କରିଛି । ଏଥିପାଇଁ ସାରା ଭାରତବର୍ଷରେ ରାଲି, ଧାରଣା, ବିକ୍ଷୋଭ କାର୍ଯ୍ୟକ୍ରମ ଚାଲିଛି । ଓଡିଶାରେ ମଧ୍ୟ ହେଉଛି ଓ ଆଗକୁ ମଧ୍ୟ ହେବ । ପ୍ରସଙ୍ଗକୁ ବିଧାନସଭାକୁ ଆଣିବା ପାଇଁ ବିଜେପି ଚାହୁଁଛି । ଯେଉଁ ରାଜ୍ୟରେ ସରକାର ଅଛି, ସେଠାରେ ଏହା କରାଯାଉଛି । କେନ୍ଦ୍ରୀୟ ନିର୍ଦ୍ଦେଶରେ ଏହା ବିଜେପି ଶାସିତ ରାଜ୍ୟରେ ଏହା ହେଉଛି । ସାଂସଦରେ ସମ୍ବିଧାନ ସଂଶୋଧନ ବିଲ ଗୃହୀତ ହୋଇଥିଲେ, ଅନୁମୋଦନ ପାଇଁ ବିଧାନସଭା ଅଧିବେଶନର ଆବଶ୍ୟକତା ପଡିଥାନ୍ତା । ଅଧାରୁ ଅଧିକ ରାଜ୍ୟରେ ଏହା ଅନୁମୋଦନ ହେବା ଆବଶ୍ୟକ ପଡିଥାନ୍ତା । ଫେଲ ହୋଇଥିବା ଏକ ବିଲ ପାଇଁ ବିଧାନସଭା ବସିବା ଭାରତୀୟ ରାଜନୀତିରେ ପ୍ରଥମ ଥର ପାଇଁ ହେଉଛି ବୋଲି ସେ କହିଛନ୍ତି।”
ବିଧାନସଭାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା:
ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା । 30 ପ୍ଲାଟୁନ ଫୋର୍ସ ମୁତୟନ ହେବେ । STU, ଡଗ୍ ସ୍କ୍ୱାଡ, ବମ ସ୍କ୍ୱାଡ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ନିୟୋଜନ କରାଯାଇଛି । ଲୋୟର ପିଏମଜିରେ ଆସନ୍ତାକାଲି ପାଇଁ 144 ଧାରା ଜାରି କରାଯିବ । ସେହିପରି ବିଧାନସଭାକୁ ସଂଯୋଗ କରୁଥିବା ରାସ୍ତା ପାଇଁ ଟ୍ରାଫିକ କଟକଣା ଜାରୀ କରାଯାଇଛି । ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ କମିଶନର ଦେବିଦତ୍ତ ସିଂ । କମିଶନର କହିଛନ୍ତି, “100ରୁ ଉର୍ଦ୍ଧ୍ବ ଅଫିସରଙ୍କ ନେତୃତ୍ୱରେ 30 ପ୍ଲାଟୁନ ଫୋର୍ସ ମୁତୟନ ହେବେ । 11ଟି କ୍ୱିକ୍ ରିଆକ୍ସନ ଟିମ ନିୟୋଜିତ ହୋଇଛନ୍ତି । 7ଟି କୁଇକ ରିଆକ୍ସନ ଟିମ ବିଧାନସଭା ଭିତରେ ଓ 4ଟି କୁଇକ ରିଆକ୍ସନ ଟିମ ବିଧାନସଭା ବାହାରେ ରହିବେ । ଆତଂକବାଦୀ-ନିରୋଧୀ ସ୍କ୍ୱାର୍ଡ ମଧ୍ୟ ରହିବ ।
