Odia News Portal

ଟନେଲରୁ ଉଦ୍ଧାର ପରେ ଓଡ଼ିଆ ଶ୍ରମିକଙ୍କ ସୂଚନା: ମୁଢ଼ି ଖାଉଥିଲୁ, ମୁଭି ବି ଦେଖୁଥିଲୁ

ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡ଼ିଆ ଶ୍ରମିକ। ସମସ୍ତେ ଭଲରେ ଥିବା ନେଇ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର। ଭଗବାନଙ୍କ ଭରସାରେ ଥିବା କହିଛନ୍ତି ବିଶେଶ୍ୱର। ଟନେଲ ଭିତରେ ଭାଇ ଭାଇ ଭଳି ରହୁଥିବା ସେ କହିଛନ୍ତି। ଏକାଠି ଖାଉଥିଲେ ଏବଂ ନୂଆ ଜୀବନ ପାଇଲେ ବୋଲି ସେ କହିଛନ୍ତି। ସେ କହିଛନ୍ତି, ମୁଢ଼ି, କାଜୁ ଓ କିସମିସ୍ ଖାଉଥିଲୁ। ତାଛଡ଼ା ମୁଭି ବି ଦେଖୁଥିଲୁ।

ସେପଟେ ଶ୍ରମମନ୍ତ୍ରୀ ସାରଦା ନାୟକ ଓଡ଼ିଆ ଶ୍ରମିକଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ସାରଦା ନାୟକ । ଗତକାଲି ଶ୍ରମିକମାନେ ଉଦ୍ଧାର ହେବା ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି। ୧୭ ଦିନ ପରେ ଉତ୍ତରକାଶୀ ଟନେଲରୁ ୫ ଜଣ ଓଡ଼ିଆ ମଧ୍ୟ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ଅଛନ୍ତି ମୟୁରଭଞ୍ଜ ବାରିପଦାର ବିଶେଶ୍ୱର ନାୟକ, କୁଲଡିହାର ରାଜୁ ନାୟକ, ବଡ କୁଦରର ଧୀରେନ ନାୟକ, ନବରଙ୍ଗପୁର ତାଲବେଡାର ଭଗବାନ ଭତ୍ରା ଓ ଭଦ୍ରକ ଶଙ୍କର୍ଷଣପୁରର ତପନ ମଣ୍ଡଳ। ଉଦ୍ଧାର ପରେ ସେମାନଙ୍କ ପରିବାରକୁ ଫୋନ କରି ଜଣାଯାଇଥିଲା। ଏମାନେ ଉଦ୍ଧାର ହେବା ପରେ ପରିବାରରେ ଖୁସିର ଲହରି ଖେଳିଯାଇଛି। ନବରଙ୍ଗପୁର ଓ ବାରିପଦାରେ ଉତ୍ସବ ପାଳନ କରିଛନ୍ତି ଗାଁ ଓ ପରିବାର ଲୋକେ ।