Odia News Portal

ଟ୍ରେନ୍ ଦୁର୍ଘଟଣା : ମିଳିଲା ୧୧ ମୃତକଙ୍କ ପରିଚୟ

ଆନ୍ଧ୍ର ପ୍ରଦେଶ ବିଜୟନଗରମ୍‌ରେ ହୋଇଥିବା ରେଳ ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ୧୪ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କ ପରିଚୟ ମିଳିଛି । ସେମାନଙ୍କ ମଧ୍ୟରୁ କେହି ଓଡ଼ିଶାର ନୁହନ୍ତି । ଅନ୍ୟ ୩ ମୃତକଙ୍କ ପରିଚୟ ମିଳିପାରିନି ।

ମୃତକଙ୍କ ମଧ୍ୟରେ ବିଶାଖାପାଟଣା-ରାୟଗଡାର ଲୋକୋ ପାଇଲଟ୍ ଏସ୍‌ଏମ୍‌ଏସ୍ ରାଓ ଓ ବିଶାଖାପାଟଣା-ପଲାସା ପାସେଞ୍ଜର ଟ୍ରେନର ଗାର୍ଡ ଏମ୍‌. ଶ୍ରୀନିବାସ ଅଛନ୍ତି । ଏନେଇ ବିଜୟନଗରମ ଜିଲ୍ଲା ପ୍ରଶାସନ ସୂଚନା ଜାରି କରିଛନ୍ତି ।

ସେହିପରି ମୋଟ୍ ୫୨ ଜଣ ଆହତ ଅବସ୍ଥାରେ ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲେ । ୨୯ ଜଣ ଡିସ୍‌ଚାର୍ଜ ହୋଇଥିବା ବେଳେ ୨୩ ଜଣ ଚିକିତ୍ସାଧୀନ ଅଛନ୍ତି । ଚିକିତ୍ସାଧୀନଙ୍କ ମଧ୍ୟରେ ୧୨ ଜଣ ପୁରୁଷ ଓ ୧୧ ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ଏବେ ପ୍ରଶ୍ନ ଉଠୁଛି ଏତେ ବଡ଼ ଦୁର୍ଘଟଣା କେମିତି ହେଲା ? ସିଗ୍ନାଲ୍ ରେଡ୍ ଥିଲା ନା ଏଥିରେ କିଛି ତ୍ରୁଟି ଥିଲା ? ଯଦି, ସିଗ୍ନାଲ୍ ରେଡ୍ ଥିଲା ତେବେ ବିଶାଖାପାଟଣା-ରାୟଗଡ଼ା ଟ୍ରେନ୍ କେମିତି ଧକ୍କା ଦେଲା ? ଏବେ ଏସବୁର କାରଣ ଖୋଜୁଛି ରେଲ୍‌ୱେ ।