Odia News Portal

ତ୍ରିକୋଣୀୟ ପ୍ରେମ ଜନିତ ହତ୍ୟାକାଣ୍ଡର ୨ ଅଭିଯୁକ୍ତ ଗିରଫ

ତ୍ରିକୋଣୀୟ ପ୍ରେମକୁ ନେଇ ରାଜଧାନୀରେ ହୋଇଥିବା ହତ୍ୟାକାଣ୍ଡ ଦୁଇ ଅଭିଯୁକ୍ତଙ୍କୁ ଲକ୍ଷ୍ମୀସାଗର ଥାନା ପୁଲିସ ଆଜି ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କ୍ୟାପିଟାଲ ଥାନା ଅଞ୍ଚଳର କାହ୍ନା ପ୍ରଧାନ ଓରଫ ପିଙ୍କୁ(୨୦) ଏବଂ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ନିହାରିକା ଦାସ(୨୦) । ଖବର ମୁତାବକ ନିହାରିକା ସହ କାହ୍ନା ଓ ଗୌତମ ସାହୁ ନାମକ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା । ତେଣୁ ପୂର୍ବରୁ କାହ୍ନା ଏବଂ ଗୌତମଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା ।

ପୂର୍ବ ଯୋଜନା ମୁତାବକ ନିହାରିକା ଏବଂ କାହ୍ନା ଗୌତମକୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲେ । ଗତ ୧୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଅଞ୍ଜନ ବେହେରା ଏବଂ ତାଙ୍କ ସାଙ୍ଗ ଗୌତମ ସାହୁ ଜଟଣି ଅଞ୍ଚଳରୁ ଏକ ବିବାହର ଇଭେଣ୍ଟ କାମ ଶେଷ କରି ରାତି ସାଢ଼େ ଗୋଟାଏ ବେଳେ ଫେରିଥିଲେ । ସେଠାରୁ ଫେରିବା ପରେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହୋଟେଲ ସ୍ୱାଗତମ୍ ଆଗରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ କାହ୍ନା, ତା’ ପ୍ରେମିକା ନିହାରିକା ଏବଂ ଅନ୍ୟ ୪ ଜଣଙ୍କ ସେଠାରେ ଆସି ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ସେଥିରେ କାହ୍ନା ରାଗିଯାଇ ତା’ ବାଇକରେ ଥିବା ଗୋଟିଏ ଧାରୁଆ ଖଣ୍ଡା କାଢ଼ି ଗୌତମକୁ ଅକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ଗୌତମ ସେଠାରୁ ପ୍ରଣ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଯାଇଥିଲା ।

କିନ୍ତୁ ସେହି କ୍ରୋଧରେ ଅଞ୍ଜନର ପଛପଟୁ ଆକ୍ରମଣ କରିଥିଲା କାହ୍ନା । ଫଳରେ ଅଞ୍ଜନ ରକ୍ତ ଜୁଡୁବୁଡୁ ହୋଇ ସେଠାରେ ତଳେ ପଡିଯାଇଥିଲା । ଏହାପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ପିସିଆରକୁ ଫୋନ କରିବା ପରେ ସେଠାରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହୟତାରେ ଅଞ୍ଜନକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ଅଧିକ ରକ୍ତଶ୍ରାବ ଯୋଗୁ ଅଞ୍ଜନର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଏନେଇ ଅଞ୍ଜନ ବେହେରାର ମାଆଙ୍କ ଅଭିଯୋଗକ୍ରମେ ପୁଲିକ ଘଟଣାକୁ ଗୁରୁତ୍ୱର ସହ ନେଇ ଆଜି ଉଭୟ ପ୍ରେମିକ-ପ୍ରେମିକାଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହାର କରାଯାଇଥିବା ଖଣ୍ଡାକୁ ଜବତ କରିଛି । କାହ୍ନା ନାମରେ ନୟାପଲ୍ଲୀ ଏବଂ କ୍ୟାପିଟାଲ ଥାନାରେ ଏକାଧିକ ଚୋରି ମାମଲା ଥିବାରୁ ତାକୁ କିଭଳି ଜାମିନ୍ ନ ମିଳିବ ସେ ନେଇ କୋର୍ଟରେ ଆବେଦନ କରାଯିବ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂ କହିଛନ୍ତି ।