Odia News Portal

ଦିଲ୍ଲୀ ମହିଳା କମିଶନକୁ ଝଟ୍‌କା, ବିଦା ହେଲେ ୨୨୩ କର୍ମଚାରୀ

ଦିଲ୍ଲୀ ମହିଳା କମିଶନ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉପରାଜ୍ୟପାଳ । ଏଲଜି ବିନୟ ସକ୍ସେନା ଦିଲ୍ଲୀ ମହିଳା ଆୟୋଗରୁ ୨୨୩ କର୍ମଚାରୀଙ୍କୁ ବିଦା କରିଛନ୍ତି । ଏଲଜିଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ମହିଳା କମିଶନ ନିଜର ୨୨୩ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଛି । ଏହି କର୍ମଚାରୀଙ୍କୁ ପୂର୍ବତନ ମହିଳା କମିଶନର ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ନିଯୁକ୍ତି ଦେଇଥିଲେ ।

ନିୟମ ବିରୋଧରେ ଯାଇ ତତ୍କାଳୀନ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଏହି ୨୨୩ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା । ଦିଲ୍ଲୀ ମହିଳା ଆୟୋଗ ଆକ୍ଟ ଅନୁସାରେ, ମହିଳା କମିଶନଙ୍କ ପାଖରେ କେବଳ ୪୦ଟି ସ୍ବିକୃତୀପ୍ରାପ୍ତ ପଦବୀ ରହିଛି । ମହିଳା କମିଶନ ମନଇଚ୍ଛା ଠିକା କର୍ମଚାରୀଙ୍କୁ ନିଯୁକ୍ତି କରିପାରିବ ନାହିଁ ।

ଏହା ସହ ନୂଆ ନିଯୁକ୍ତି ସମୟରେ ମହିଳା କମିଶନଙ୍କ ପକ୍ଷରୁ ଜରୁରି ପଦବୀ ସଂପର୍କରେ ବିଚାର କରାଯାଇ ନଥିଲା । ନୂଆ ନିଯୁକ୍ତି ଦ୍ବାରା ହେବାକୁ ଥିବା ଅତିରିକ୍ତ ଖର୍ଚ୍ଚ ସଂପର୍କରେ ମଧ୍ୟ କୌଣସି ଅନୁମତି ନିଆଯାଇ ନଥିଲା । ସୂଚନାଯୋଗ୍ୟ, ୨୦୧୭ରେ ତତ୍କାଳୀନ ଉପରାଜ୍ୟପାଳଙ୍କୁ ଦିଆଯାଇଥିବା ତଦନ୍ତ ରିପୋର୍ଟ ଆଧାରରେ ଏହି ନିର୍ଦ୍ଦେଶ ପାରିତ ହୋଇଛି ।