Odia News Portal

ନବୀନଙ୍କୁ ଭେଟିବେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ। ତା’ପର ଦିନ ସେ ପୁରୀ ଯିବେ। ପୁରୀରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବେ। ସେହି ଦିନ ତାଙ୍କର ଅନ୍ୟାନ୍ୟ କ’ଣ କାର୍ୟ୍ୟକ୍ରମ ରହିଛି, ତାହା ଜଣାପଡ଼ିନାହିଁ। ତେବେ ମାର୍ଚ୍ଚ ୨୩ ତାରିଖରେ କୋଲକାତା ଫେରିଯିବା ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କହିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ସୁଦୀପ ବନ୍ଦ୍ୟୋପାଧ୍ୟାୟ।

୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହିତ ମୁକାବିଲା କରିବା ପାଇଁ ମମତା ବାନାର୍ଜୀ ଆଞ୍ଚଳିକ ଦଳଗୁଡ଼ିକୁ ନେଇ ମେଣ୍ଟ କରିବାକୁ ଯୋଜନା କରୁଛନ୍ତି। ଏହି ମେଣ୍ଟରୁ ସେ କଂଗ୍ରେସକୁ ଦୂରେଇ ରଖିବାକୁ ଯୋଜନା କରିଛନ୍ତି। ଏହି ଯୋଜନାରେ ବିଜେଡିକୁ ସାମିଲ କରିବାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।