Odia News Portal

ମଣିପୁରରେ ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସ ଜାଳିଦେଲେ; ମାଆ ଓ ପୁଅ ସମେତ ୩ ମୃତ

ମଣିପୁରରେ ଉପୁଜିଥିବା ଜାତିଗତ ହିଂସା ଥମିବାର ନାଁ ନେଉନାହିଁ । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଥିବା ସତ୍ତ୍ୱେ ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ୍ୟ କରାଯାଇଛି । ରବିବାର ଇମ୍ଫାଲ ୱେଷ୍ଟ ଅନ୍ତର୍ଗତ ଇରୋସେମ୍ବା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଏକ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିବାବେଳେ ସେଥିରେ ଥିବା ମାଆ ଓ ପୁଅ ସମେତ ମୋଟ ୩ ଜଣ ପ୍ରାଣ ହରାଇଛନ୍ତି ।

ଗୁଳିକାଣ୍ଡରେ ଆହତ ହୋଇଥିବା ୮ ବର୍ଷର ଶିଶୁପତ୍ରକୁ ସାଙ୍ଗରେ ଧରି ମାଆ ଓ ଜଣେ ଆତ୍ମୀୟ ଉକ୍ତ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଉଥିବାବେଳେ ଉତ୍ତ୍ୟକ୍ତ ଲୋକେ ସେଥିରେ ନିଆଁ ଲଗାଇ ଦେଇଥିଲେ । ସୂଚନାଯୋଗ୍ୟ ମୈତେଇ ସଂପ୍ରଦାୟର ଏହି ମହିଳା କୁକି ସଂପ୍ରଦାୟର ଜଣେ ପୁରୁଷଙ୍କୁ ବିବାହ କରିଥିବାବେଳେ ୮ ବର୍ଷର ପୁଅ ସହ ସେମାନେ କାଙ୍ଗ୍‌ଚୁପ୍‌ସ୍ଥିତ ଆସାମ ରାଇଫଲ୍‌ସ ରିଲିଫ୍ ଶିବିରରେ ବସବାସ କରୁଥିଲେ । ରବିବାର ଉକ୍ତ ଅଞ୍ଚଳରେ ମୈତେଇ ଓ କୁକି ସଂପ୍ରଦାୟ ମଧ୍ୟରେ ଗୁଳି ବିନିମୟ ଘଟିଥିଲା । ଏଥିରେ ୮ ବର୍ଷର ଶିଶୁପୁତ୍ର ଶରୀରରେ ବାଜିଥିଲା ।

ଯେହେତୁ ଶିଶୁପୁତ୍ରର ମାଆ ମୈତେଇ ସଂପ୍ରଦାୟର, ତେଣୁ ସଡକପଥରେ ଶିଶୁପୁତ୍ରକୁ ଇମ୍ଫାଲସ୍ଥିତ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେବାକୁ ଆସାମ ରାଇଫଲ୍‌ସ ଅଧିକାରୀମାନେ ପ୍ରସ୍ତାବ ଦେଇଥିଲେ । କିଛିବାଟ ପର୍ଯ୍ୟନ୍ତ ଆସାମ ରାଇଫଲ୍ସ ଯବାନମାନେ ଉକ୍ତ ଆମ୍ବୁଲାନ୍ସକୁ ଏସକର୍ଟ କରିଥିଲେ ।

ପରବର୍ତ୍ତୀ ସମୟରେ ସ୍ଥାନୀୟ ପୁଲିସ ଏହି ଦାୟିତ୍ୱ ମୁଣ୍ଡକୁ ନେଇଥିଲେ । ସନ୍ଧ୍ରା ୬ଟା ୩୦ ସମୟରେ ରାସ୍ତା ଅବରୋଧ କରିଥିବା ଉତ୍ତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ପୋଡିଦେଇଥିଲେ, ଯାହାଫଳରେ ଭିତରେ ଥିବା ଆହତ ଶିଶୁପୁତ୍ର ସମେତ ମୋଟ ୩ ଜଣଙ୍କର ପ୍ରାଣହାନି ଘଟିଥିଲା । ଘଟଣା ପଛରେ କୁକି ସଂପ୍ରଦାୟର ହାତ ଥିବା ସନ୍ଦେହ କରାଯାଉଛି ।