Odia News Portal

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ଉଦ୍ୟମ

ଅପହୃତ ଦୁଇ ଛାତ୍ରଙ୍କ ହତ୍ୟା ବିରୋଧରେ ମଣିପୁରରେ ଆନ୍ଦୋଳନ ତେଜିବାରେ ଲାଗିଛି । ବିକ୍ଷୋଭକାରୀମାନେ ଇମ୍ଫାଲ ଉପକଣ୍ଠରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂଙ୍କ ପୈତୃକ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀ ଫାଙ୍କା ଗୁଳି ଚଳାଇ ଉତ୍ତ୍ୟକ୍ତ ଭିଡ଼କୁ ଘଉଡାଇଥିଲେ। ଏନ୍ ବିରେନ ସିଂ ଇମ୍ଫାଲର ମଧ୍ୟଭାଗରେ ଏକ ଅଲଗା ସୁରକ୍ଷିତ ସରକାରୀ ଘରେ ରୁହନ୍ତି |

ଜଣେ ପୋଲିସ ଅଧିକାରୀ କହିଛନ୍ତି, “ଇମ୍ଫାଲର ହିଙ୍ଗାଙ୍ଗ୍ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ପୈତୃକ ଘର ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା। ସୁରକ୍ଷା ବାହିନୀ ଘରୁ ପ୍ରାୟ ୧୦୦-୧୫୦ ମିଟର ଦୂରରେ ବିକ୍ଷୋଭକାରୀଙ୍କ ଏକ ଭିଡ଼କୁ ଅଟକାଇଥିଲେ। ଯଦିଓ ଏହି ଘରେ କେହି ରୁହନ୍ତି ନାହିଁ, ତଥାପି ଏହା କଡ଼ା ସୁରକ୍ଷା ଭିତରେ ରହିଛି।”

ଭିଡ଼କୁ ହଟାଇବା ପାଇଁ ରାପିଡ୍ ଆକ୍ସନ୍ ଫୋର୍ସ (ଆରଏଫ୍) ଓ ରାଜ୍ୟ ପୋଲିସ୍ ଫୋର୍ସ ଅନେକ ରାଉଣ୍ଡ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ । ଭିଜିବିଲିଟି କମାଇବା ଓ ବିକ୍ଷୋଭକାରୀ ଯେପରି ଆଗକୁ ନ ବଢ଼ିବେ ସେଥିପାଇଁ ଅଧିକାରୀମାନେ ସମଗ୍ର ଅଞ୍ଚଳରେ ବିଦ୍ୟୁତ୍ କାଟ କରିଥିଲେ। ମୁଖ୍ୟମନ୍ତ୍ରୀ ସିଂଙ୍କ ଘର ନିକଟରେ ଅଧିକ ବ୍ୟାରିକେଡ୍ ଲଗାଇଥିଲେ ।

ମଣିପୁରରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଓ ବୁଧବାର ଦିନ ଛାତ୍ରମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀମାନେ ଗୁରୁବାର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିବା ସହ ଦୁଇଟି ଗାଡିରେ ନିଆଁ ଲଗାଇ ଦେଇଥିଲେ। ଏହାଛଡ଼ା ବିଜେପି ରାଜ୍ୟ ସଭାପତିଙ୍କ ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା ।