ମାଓ ଡ଼ମ୍ପରୁ ମିଳିଲା କୋଟିଏ ଟଙ୍କା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲା ପୋଲିସକୁ ସଫଳତା । ଆବୁଝମାଡ଼ ଜଙ୍ଗଲରୁ ମାଓଡମ୍ପ ଠାବ । କୋଟିଏ ଟଙ୍କା ସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ । ଜଙ୍ଗଲରେ ଚାଲିଥିବା ସର୍ଚ୍ଚ ଅପରେସନ ବେଳେ ଯବାନମାନେ ମାଓବାଦୀଙ୍କ ଏକ ବିଶାଳ ଡମ୍ପ୍ ଠାବ କରିଛନ୍ତି । ସେଠାରୁ ନଗଦ ୧ କୋଟି ୧ ଲକ୍ଷ ୬୪ ହଜାର ଟଙ୍କା ମିଳିଛି ।
ସେହିପରି ଏକେ-୪୭, ଏସ୍ ଏଲ୍ ଆର, ଇନ୍ ସାସ୍, ୩୦୩-ରାଇଫଲ୍ ସହ ଏଲ୍ ଏମ୍ ଜି, ବିଜିଏଲ୍, ରକେଟ୍ ଲଞ୍ଚର୍ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଆତ୍ମସମର୍ପଣ କରିଥିବା କିଛି ପୂର୍ବତନ ମାଓବାଦୀଙ୍କଠାରୁ ଗୁପ୍ତ ତଥ୍ୟ ମିଳିବା ପରେ ସୁରକ୍ଷାବାହି ଆବୁଝମାଡ଼ ଜଙ୍ଗଲରେ ସର୍ଚ୍ଚ ଅପରେସନ ଚଳାଇଥିଲେ । ଜଙ୍ଗଲ ମଧ୍ୟରେ ମାଟି ତଳେ ଲୁଚାଇ ରଖାଯାଇଥିବା ବଡ଼ ଡମ୍ପ୍ ଠାବ ହୋଇଛି । ମାଓବାଦୀ ସୁରକ୍ଷାବଳ ଉପରେ ବଡ଼ ଧରଣର ଆକ୍ରମଣ କରିବା ଉଦ୍ଦେଶ୍ୟରେ ଏହି ଅସ୍ତ୍ରଶସ୍ତ୍ର ମହଜୁଦ୍ କରି ରଖୁଥିବା ପୋଲିସ ଅନୁମାନ କରୁଛି । ନଗଦ ଅର୍ଥକୁ ସଂଗଠନର ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯିବା ଯୋଜନା କରୁଥିବା ଅନୁମାନ କରାଯାଉଛି ।
