Odia News Portal

ଲୋକକଳା ଆମ ଜାତିର ଅସ୍ମିତା:ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ୩୦ହଜାର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ଏହି ଯୋଜନାରେ ୫୦,୦୦୦ କଳାକାର ମାନଙ୍କୁ ମାସିକ ୧୨୦୦ ଟଙ୍କା(ବାର ଶହ ଟଙ୍କା) ସହାୟତା ରାଶି ପ୍ରଦାନ କରାଯାଉଛି। ବର୍ତ୍ତମାନ ଏହି ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ୫୦ ହଜାରରୁ ୮୦ ହଜାରକୁ ବୃଦ୍ଧି କରା ଯାଇଛି । ଏହା ଦ୍ୱାରା ରାଜ୍ୟର ଆଉ ୩୦ ହଜାର କଳାକାର ଏଥିରେ ଉପକୃତ ହେବେ ।

ଆମର ଲୋକକଳା ଗୁଡିକ ଆମ ଜାତିର ଅସ୍ମିତା ଅଟନ୍ତି ଏବଂ କଳାକାର ମାନେ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରକ ତଥା ବାର୍ତ୍ତାବହ ଅଟନ୍ତି । ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରାଯିବା ଯୋଗୁଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ କଳାକାରମାନେ ଉତ୍ସାହିତ ଓ ଉପକୃତ ହେବେ । ଏହା ଦ୍ଵାରା ଆମର କଳାର ସଂରକ୍ଷଣ, ବିକାଶ, ପ୍ରଚାର ଓ ପ୍ରସାର ହେବା ସହିତ ଓଡ଼ିଶାର କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବ।