Odia News Portal

ଆଇସିସି ଦଳରେ ସ୍ଥାନ ପାଇଲେ ୬ ଭାରତୀୟ କ୍ରିକେଟର

ଆଇସିସି ପକ୍ଷରୁ ୨୦୨୨ ବର୍ଷ ପାଇଁ ଶ୍ରେଷ୍ଠ ଖେଳାଳିମାନଙ୍କୁ ନେଇ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା କରାଯାଇଛି। ପାକିସ୍ତାନର ବାବର ଆଜମ୍‌ଙ୍କ ନେତୃତ୍ବରେ ଘୋଷିତ ଦିନିକିଆ ଦଳରେ ଭାରତରୁ କେବଳ ଶ୍ରେୟସ ଆୟର ଓ ମହମ୍ମଦ ସିରାଜ ସ୍ଥାନ ପାଇଛନ୍ତି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ବିରାଟ କୋହଲି କିମ୍ବା ରୋହିତ ଶର୍ମା ଏହି ଦଳରେ ସ୍ଥାନ ପାଇପାରିନାହାନ୍ତି। ଶ୍ରେୟସ ଗତବର୍ଷ ୫୫.୬୯ ହାରରେ ୭୨୪ ରନ୍‌ ସଂଗ୍ରହ କରି ଭାରତୀୟଙ୍କ ମଧ୍ୟରେ ଆଗରେ ଥିଲେ। ତାଙ୍କ ବ୍ୟତୀତ ଅନ୍ୟ ବ୍ୟାଟରଙ୍କ ମଧ୍ୟରେ ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌, ୱେଷ୍ଟଇଣ୍ଡିଜ୍‌ର ସାଇ ହୋପ୍‌, ନ୍ୟୁଜିଲାଣ୍ଡର ଟମ୍‌ ଲଥାମ ବ୍ୟାଟରଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଟେଷ୍ଟ ଦଳରେ ଭାରତରୁ କେବଳ ଋଷଭ ପନ୍ତ୍‌ଙ୍କ‌ୁ ମନୋନୀତ କରାଯାଇଛି। ପନ୍ତ୍‌ ସଡ଼କ ଦୁର୍ଘଟଣାର ଶିକାର ହୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ ବି ବର୍ଷର ଶ୍ରେଷ୍ଠ ଖେଳାଳିଙ୍କ ଭିତରେ ରହିପାରିଛନ୍ତି। ଇଂଲଣ୍ଡର ବେନ୍‌ ଷ୍ଟୋକ୍ସଙ୍କ ନେତୃତ୍ବରେ ଗଠନ ହୋଇଥିବା ଏହି ଦଳରେ ନିଜ ଦେଶର ଜନି ବେୟାରଷ୍ଟୋ ଓ ଜେମ୍ସ ଆଣ୍ଡରସନ୍‌ ମଧ୍ୟ ସ୍ଥାନ ପାଇଛନ୍ତି। ଦିନିକିଆ ଦଳ ପରି ଟେଷ୍ଟରେ ମଧ୍ୟ ପାକିସ୍ତାନ ଅଧିନାୟକ ବାବର ଆଜମ୍‌ ଚୟନ ହୋଇଛନ୍ତି। ଜୋସ୍‌ ବଟଲର୍‌ଙ୍କ ନେତୃତ୍ବରେ ଘୋଷିତ ଆଇସିସିର ଟ୍ବେଣ୍ଟି-୨୦ ଦଳରେ ଭାରତରୁ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ମିଳିଛି।

ଆଇସିସି ଦିନିକିଆ ଦଳ: ବାବର ଆଜମ, ଟ୍ରାଭିସ୍‌ ହେଡ୍‌, ସାଇ ହୋପ୍‌, ଶ୍ରେୟସ ଆୟର, ଟମ୍‌ ଲଥାମ୍‌, ସିକନ୍ଦର ରାଜା, ମେହିଦି ହାସନ ମିରାଜ, ଅଲଜେରି ଜୋସେଫ, ମହମ୍ମଦ ସିରାଜ, ଟ୍ରେଣ୍ଟ ବୋଲ୍ଟ, ଆଦାମ ଜାମ୍ପା।

ଆଇସିସି ଟେଷ୍ଟ ଦଳ: ବେନ୍‌ ଷ୍ଟୋକ୍ସ, ଉସ୍‌ମାନ ଖୱାଜା, କ୍ରେଗ୍‌ ବ୍ରାଥ୍‌ୱେଟ୍‌, ମାର୍ନସ ଲବୁସାନ୍‌, ବାବର ଆଜମ, ଜନି ବେୟାରଷ୍ଟୋ, ଋଷଭ ପନ୍ତ୍‌, ପ୍ୟାଟ୍‌ କମିନ୍ସ, କାଗିସୋ ରବାଦା, ନାଥନ ଲାୟନ, ଜେମ୍ସ ଆଣ୍ଡରସନ୍‌।

ଆଇସିସି ଟ୍ବେଣ୍ଟି-୨୦ ଦଳ: ଜୋସ୍‌ ବଟଲର, ମହମ୍ମଦ ରିଜୱାନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଗ୍ଲେନ୍‌ ଫିଲିପ୍ସ, ସିକନ୍ଦର ରାଜା, ହାର୍ଦ୍ଦିକ ପାଣ୍ଡ୍ୟା, ସାମ କରନ୍‌, ୱାନିନ୍ଦୁ ହସରଙ୍ଗା, ହାରିସ ରୌଫ୍‌, ଜୋସ୍‌ ଲିଟିଲ୍‌।