Odia News Portal

କ୍ରିକେଟ ପରେ ଟେଲିଭିଜନ ପରଦାକୁ ଏଣ୍ଟ୍ରି କରିବେ ହିଟମ୍ୟାନ

କ୍ରିକେଟ୍‌ ପଡ଼ିଆ ପରେ ଏବେ ଟେଲିଭିଜନ୍‌ ପରଦାରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା। ଦିନିକିଆ କ୍ରିକେଟ୍‌ରେ ସକ୍ରିୟ ଥିବା ରୋହିତ ଏବେ ନିଜର ଖାଲି ସମୟକୁ ମନୋରଞ୍ଜନର ଏକ ନୂଆ ମାଧ୍ୟମରେ ବ୍ୟବହାର କରିବାକୁ ଯାଉଛନ୍ତି। ସୋନି ଟିଭି ଓ ସୋନି ଲିଭ୍‌ରେ ଆସିବାକୁ ଥିବା ନୂଆ ରିଅଲିଟି ଶୋ’ର ନାଁ ରହିଛି ‘ଦ ରୋହିତ ଶର୍ମା ଶୋ’। ଶୋ’ର ସମ୍ପୂର୍ଣ୍ଣ ଫର୍ମାଟ୍‌ ଏବେ ମଧ୍ୟ ଗୋପନ ରଖାଯାଇଛି। ତେବେ ଏହା ସେପ୍ଟେମ୍ବରରେ ପ୍ରସାରିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ସୋନି ଟିଭି ଏହାକୁ ଟେଲିଭିଜନ୍‌ର ସବୁଠାରୁ ବଡ଼ ମନୋରଞ୍ଜନ କାର୍ଯ୍ୟକ୍ରମ ଭାବେ ପ୍ରଚାର କରୁଛି। ଶୋ’ରେ ଦର୍ଶକ ରୋହିତଙ୍କର କ୍ରିକେଟ୍‌ ପଡ଼ିଆ ବାହାରର ଏକ ନୂଆ ରୂପ ଦେଖିବାକୁ ପାଇବେ।

ଚର୍ଚ୍ଚା ଅନୁସାରେ, ଆମେରିକାର ଲୋକପ୍ରିୟ ଶୋ’ ‘ଫାମିଲି ଫ୍ୟୁଡ୍‌’ର ଫର୍ମାଟ୍‌କୁ ଆଧାର କରି ଏହି କାର୍ଯ୍ୟକ୍ରମ ତିଆରି ହେଉଛି। ଏଥିରେ ଦୁଇଟି ପରିବାର କିମ୍ବା ଟିମ୍‌ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ପରସ୍ପର ସହ ପ୍ରତିଯୋଗିତା କରିବେ। ତେବେ ଶୋ’ର ଅନ୍ୟାନ୍ୟ ବିବରଣୀ ନେଇ ଏପର୍ଯ୍ୟନ୍ତ ଅଧିକାରିକ ଭାବେ କିଛି ସ୍ପଷ୍ଟ କରାଯାଇନାହିଁ।

ଏହି ନୂଆ ଶୋ’କୁ ନେଇ ରୋହିତଙ୍କ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି ଏହାର ଟିଜର। ସୋନି ଟିଭି ପକ୍ଷରୁ ରିଲିଜ୍‌ ହୋଇଥିବା ଟିଜରରେ ରୋହିତଙ୍କୁ ଏକ ଷ୍ଟାଇଲିସ୍‌ ନୀଳ ବ୍ଲେଜରରେ ଦେଖିବାକୁ ମିଳୁଛି। ସେଠାରେ ତାଙ୍କର ପ୍ରସିଦ୍ଧ ‘ଗାର୍ଡେନ୍‌’ ଡାଏଲଗ୍‌କୁ ନେଇ ମଧ୍ୟ ମଜାଦାର ଦୃଶ୍ୟ ରହିଛି।

ଭାରତୀୟ ଦଳର ଅଧିନାୟକ ଥିବା ସମୟରେ ଫିଲ୍ଡରମାନଙ୍କୁ ସଜାଗ କରିବାକୁ ରୋହିତଙ୍କ ‘କୋଇ ଭି ଗାର୍ଡେନ୍‌ ମେ ନହିଁ ଘୁମେଗା’ ଡାଏଲଗ୍‌ ବେଶ୍‌ ଭାଇରାଲ ହୋଇଥିଲା। ଟିଜରରେ ମଧ୍ୟ ଏହି ଡାଏଲଗ୍‌କୁ ନେଇ ରୋହିତ ନିଜେ ମଜା କରୁଥିବା ଦେଖାଯାଇଛି। ସେ କହୁଛନ୍ତି, ଏହି ଦୁଇଟି ଲାଇନ୍‌ ଯଦି ଏତେ ଭାଇରାଲ ହୋଇପାରିଛି, ତେବେ ତାଙ୍କର ପୂରା ଶୋ’ ଆସିଲେ କ’ଣ ହେବ!

ଏପଟେ ରୋହିତଙ୍କ ଆନ୍ତର୍ଜାତିକ କ୍ରିକେଟ୍‌ କ୍ୟାରିୟରକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେ ଆନ୍ତର୍ଜାତିକ କ୍ରିକେଟ୍‌ରୁ ଅବସର ନେବେ କି ନାହିଁ, ତାକୁ ନେଇ ବିଭିନ୍ନ ଆଲୋଚନା ହେଉଥିଲେ ମଧ୍ୟ ରୋହିତ ଏନେଇ ଏପର୍ଯ୍ୟନ୍ତ ନିଜ ମୁହଁ ଖୋଲିନାହାନ୍ତି। ତେବେ କ୍ରିକେଟ୍‌ ପଡ଼ିଆରେ ତାଙ୍କ ଭୂମିକା ଯାହା ହେଉନା କାହିଁକି, ଟେଲିଭିଜନ୍‌ରେ ‘ହିଟ୍‌ମ୍ୟାନ୍‌’ଙ୍କ ଏହି ନୂଆ ଇନିଂସ କେତେ ହିଟ୍‌ ହେବ, ତାହା ଦେଖିବାକୁ ରହିଲା।