Odia News Portal

ଅନାଥ ଶିଶୁକୁ ଆପଣାଇବ ବା କିଏ ?

ମାହାଙ୍ଗା: ୧୪ବର୍ଷର ପିଲାଟିଏ । ଦୁନିଆକୁ ବୁଝିବା ଆଗରୁ ହୋଇଗଲା ମା ଛେଉଣ୍ଡ । ସ୍ନେହ ପାଇବା ଆଗରୁ ମା କୁ ଛଡାଇ ନେଲା ଦଇବ । କୋହ ଓ ଲୁହର ଏ କାହାଣୀ ଆସିଛି କଟକ ଜିଲ୍ଲା ବେଗୁନିଆ ପଡାରୁ ।.. ସିଦ୍ଧାର୍ଥ ଦାସ । ଡାକ ନା- ହେଲମେଟ । ଯେଉଁଠି ବସୁଛି ବସି ରହୁଛି । ଯେଉଁଠି ପାରୁଛି ଶୋଇ ପଡୁଛି । ଖେଳୁଛି ହେଲେ ମନ ଲାଗୁନି । ସବୁରି ଭିତରେ ସେ ଖୋଜୁଛି ତା ମାକୁ । ଯିଏ କୋଳେଇ ନିଅନ୍ତା, ଗେଲ କରି ଦିଅନ୍ତା, ଆକଟ କରନ୍ତା, ପୁଣି ଧୋ ବାୟା ଗୀତ ବୋଲି ଶୁଆଇ ଦିଅନ୍ତା । ହେଲେ ସେମିତି କିଛି ହେବାର ନାହିଁ । କାରଣ ଗଲା ୨ବର୍ଷ ତଳେ ହେଲମେଟ ତା ମାକୁ ହରାଇଛି । ହେଲେ ଏବେ ବି ସେ ଖୋଜୁଛି ସେଇ ମମତାର କୋଳ, ସେଇ ସୁରକ୍ଷାର ପଣତ ।

ବାପା ଅସରପା ଦାସଙ୍କ ସହ ଏଇ ଭଙ୍ଗା କୁଡିଆରେ ରୁହେ ହେଲମେଟ । ସାଥି ପିଲାଙ୍କୁ ଦେଖିଲେ ପାଠ ପଢ଼ିବାକୁ ମନ ହୁଏ କିନ୍ତୁ ରୋଗୀଣା ବାପା ଆଉ ପରିବାର ବୋଝ ତା କାନ୍ଧରେ । ସେଥିପାଇଁ ତ ନବମ ପରେ ସେ ଆଉ ସ୍କୁଲ ଯାଇ ପାରିନି । ରାସନ କାର୍ଡରେ ଚାଉଳ, କେଇ ଟଙ୍କା ଭତା ସେମାନଙ୍କ ସମ୍ପତି । ନିଜସ୍ୱ ଜମି ନାହିଁ, ତେଣୁ ସରକାରୀ ଜାଗାରେ ଏଇ ଟୁଙ୍ଗୁଲି କୁଡିଆ ବାନ୍ଧି ବାପ ପୁଅ ରହୁଛନ୍ତି । ତାରି ଭିତରେ ମରି ମରି ଯାଉଛି ହେଲମେଟର ସବୁ ସ୍ୱପ୍ନ, ସବୁ ଆଶା ଆଉ ସବୁ ଇଛା ।