Odia News Portal

ଦିବ୍ୟାଙ୍ଗ ନାବାଳିକାଙ୍କୁ ବି ଛାଡ଼ିଲେନି…

ଗଞ୍ଜାମ: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ସଂଖ୍ୟା । ବୃଦ୍ଧାଙ୍କଠାରୁ ଆରମ୍ଭ କରି ନାବାଳିକା କେହି ବି ବାଦ ପଡୁନାହାଁନ୍ତି ଦୁଷ୍କର୍ମକାରୀଙ୍କ ନଜରରୁ । କିଛି କ୍ଷଣର ସୁଖ ଲାଗି ନିଜର ହିତାହିତ ଜ୍ଞାନ ଭୁଲି ନରରାକ୍ଷସ ପାଲଟି ଯାଉଛନ୍ତି ଦେହଲୋଭି ମଣିଷ । ବୟସର ତାରତମ୍ୟ ନଦେଖି ଘଟାଉଛନ୍ତି ଅମାନୁଷିକ କାଣ୍ଡ । ଶେଷରେ ଜଣେ ଦିବ୍ୟାଙ୍ଗ ନାବାଳିକା ମଧ୍ୟ ବାଦ ପଡିନଥିବା ଖବର ନଜରକୁ ଆସିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ନାବାଳିକା ହୋଇଛନ୍ତି ଦୁଷ୍କର୍ମର ଶିକାର । ସେହି ଅଞ୍ଚଳର ବାବୁ ନାୟକ ନାମକ ଜଣେ ୨୫ ବର୍ଷୀୟ ଯୁବକ ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେପଟେ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଦାବି କରିଛନ୍ତି ପିଡ଼ିତାଙ୍କ ପରିବାର ।

ମିଳିଥିବା ସୂଚନା ମୁତାବକ, ନାବାଳିକାଙ୍କ ଘରେ କେହି ନଥିଲେ । ଯାହାର ସୁଯୋଗ ନେଇ ଘରେ ପଶିଥିଲା ଅଭିଯୁକ୍ତ । ଜୋର ଜବରଦସ୍ତ ନାବାଳିକାଙ୍କୁ ଘରେ କବାଟ ବନ୍ଦ କରି କରିଥିଲା ଦୁଷ୍କର୍ମ । ତେବେ ଏନେଇ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା ଅଭିଯୁକ୍ତ । ଘରଲୋକ ଆସିବା ପରେ ସେମାନଙ୍କ ଆଗରେ କାନ୍ଦି କାନ୍ଦି ସବୁକଥା କହିଥିଲେ ପିଡିତା । ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ସେପଟେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।