Odia News Portal

ତେଜୁଛି ଅରୁଆ-ଉଷୁନା ରାଜନୀତି

ଭୁବନେଶ୍ୱର: ରାଜ୍ୟରେ ଅରୁଆ, ଉଷୁନା ଚାଉଳ ରାଜନୀତି ତେଜିବାରେ ଲାଗିଛି | ବିଜେଡି ଉଷୁନା ଚାଉଳ କଥା ଉଠାଇଥିବା ବେଳେ ବିଜେପି ଅରୁଆ ଚାଉଳ ପ୍ରସଙ୍ଗ ଉଠାଇଛି । ଆଜି ବିଜେପି ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ରାଜ୍ୟ ସରକାର ଚାଷୀଙ୍କୁ ଭ୍ରମିତ କରିବା ପାଇଁ ଉଷୁନା ଚାଉଳା ବାହାନା କରିଛନ୍ତି । ଅସଲ କଥା ହେଲା ଓଡ଼ିଶା ସରକାର ଚାଷୀଙ୍କ ପାଇଁ ଚିନ୍ତିତ ନୁହଁନ୍ତି, ମିଲରଙ୍କ ପାଇଁ ଚିନ୍ତିତ। କାରଣ ଚାଷୀ ଧାନ ଉତ୍ପାଦନ କରେ ଓ ତାକୁ ବିକ୍ରି କରିଥାଏ। ଚାଉଳ ମିଲ୍‌ର ବିକେ। ଚାଷୀଙ୍କ ଧାନକୁ ରାଜ୍ୟ ସରକାର ଉଠାଇବେ। ନହେଲେ ରାଜ୍ୟ ସରକାର ମିଲରଙ୍କ ଦ୍ୱାରା ଉଠାଇବେ। ସେହି ଧାନରୁ ଉତ୍ପାଦିତ ଚାଉଳକୁ ରାଜ୍ୟ ସରକାର ଏଫ୍‌ଆଇକୁ ଦେଇପାରିବେ ବା ଖାଦ୍ୟ ସୁରକ୍ଷା ଆଇନରେ ବ୍ୟବହାରରେ କରିପାରିବେ।”

ସେ ଆହୁରି ମଧ୍ୟ କହିଛନ୍ତି-“କେନ୍ଦ୍ର କରିଥିବା ଚିଠିରେ ଉଲ୍ଲେଖ ରହିଛି, ୫୦% ଉଷୁନା ଚାଉଳ ଓ ଅଧିକାରୁ ଅଧିକା ଅରୁଆ ଚାଉଳ ଉତ୍ପାଦନ କରାଯାଉ। ଅର୍ଥାତ କେନ୍ଦ୍ର ସରକାର ଅଧିକରୁ ଅଧିକ ଅରୁଆ ଚାଉଳ କିଣିବାକୁ ଚାହୁଁଛନ୍ତି। କାରଣ ଓଡ଼ିଶା ସମେତ ପୂର୍ବ ଭାରତର କିଛି ରାଜ୍ୟ ଅଧିକ ଉଷୁନା ଚାଉଳ ଖାଉଛନ୍ତି। ହେଲେ ଜାତୀୟ ସ୍ତରରେ ଅରୁଆ ଚାଉଳର ଅଧିକ ଡିମାଣ୍ଡ ରହିଛି। ସେଥିପାଇଁ ମିଲରଙ୍କ ଦ୍ୱାରା ଅଧିକରୁ ଅଧିକ ଅରୁଆ ଚାଉଳ ଉତ୍ପାଦନ କରିବାକୁ କେନ୍ଦ୍ରର ଚିଠିରେ କୁହାଯାଇଛି। ହେଲେ ବିଜେଡି କରିଥିବା ଗଣମାଧ୍ୟମ ସମ୍ମିଳନୀରେ ଏହି କଥାକୁ ଚପାଇ ଦିଆଯାଇଛି। ଅରୁଆ ଚାଉଳ ବିଷୟରେ ପଦୁଟିଏ ନକହି ବିଜେଡି ନେତା କେନ୍ଦ୍ର ସରକାର ଉଷୁନା ଚାଉଳ କିଣୁନାହାନ୍ତି ବୋଲି ଆରୋପ ଲଗାଇଛନ୍ତି।

ଓଡ଼ିଶାରେ ଲକ୍ଷ ଲକ୍ଷ ଚାଷୀ ମଣ୍ଡିରେ ଧାନ ଧରି ବସି ରହିଛନ୍ତି, କିନ୍ତୁ ସରକାର ତାଙ୍କ ସହ କଥା ହେଉନାହାନ୍ତି । ଓଡିଶାରେ ଚାଷୀଙ୍କୁ ଭ୍ରମିତ କରିବା ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ରାଜ୍ୟ ସରକାର । ଓଡ଼ିଶାର ମିଲରଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ଗଚ୍ଛିତ ରହିଛି। ସେହି ଚାଉଳକୁ ସେମାନେ ଏଫ୍‌ସିଆଇ ବା ରାଜ୍ୟ ସରକାରଙ୍କୁ ଦେବା ପାଇଁ ଚାହୁଛନ୍ତି। ସେମାନେ ଚାହୁଁଛନ୍ତି ଉଷୁନା କେନ୍ଦ୍ର ସରକାର ନିଅନ୍ତୁ। ଏହାଦ୍ୱାରା ମିଲରମାନେ ମାଲାମାଲ୍‌ ହେବେ । ଏହାବ୍ୟତୀତ ଉଷୁନା ଚାଉଳ କୁଣ୍ଡାରୁ ରାଇସ୍‌ବ୍ରାନ୍‌ ଅଏଲ ତିଆରି ହେଉଛି । ଯାହା ଦାମ ବହୁତ ଅଧିକା ରହିଛି। ଯଦି ମିଲରମାନେ ଅରୁଆ ଚାଉଳ ତିଆରି କରିବେ, ତାହାହେଲେ ଏହି ଫାଇଦା ମିଲରମାନେ ପାଇବେ ନାହିଁ ବୋଲି ଲେଖାଶ୍ରୀ ଅଭିଯାଗ କରିଛନ୍ତି ।